ଟାର୍ଗେଟ ଆସିନି, ଧାନକିଣା ବନ୍ଦ

ପଦ୍ମପୁର, ୨୯।୧୨ (ଡି.ଏନ.ଏ) – ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ମିଲର୍ସଙ୍କ ଆବଶ୍ୟକ ଟାର୍ଗେଟ ଶେଷ ହୋଇଯାଇଛି। ଫଳରେ ଉପଖଣ୍ଡର ୭୦ଟି ବିକ୍ରୟ କେନ୍ଦ୍ରରେ ହଜାର ହଜାର ପ୍ୟାକେଟ ଧାନ ପଡିରହିଛି। ନୂଆ ଟାର୍ଗେଟ ନ ଆସିଲେ ଏହି ଧାନ ଉଠି ପାରିବ ନାହିଁ। ଉପଖଣ୍ଡର ଉପାନ୍ତ ଅଞ୍ଚଳର ସ୍ଥିତ ସବୁଠାରୁ ସଙ୍ଗୀନ ରହିଛି। ସେଠାରେ ଧାନ ସଂଗ୍ରହ ଏକ ପ୍ରକାର ଠପ୍‌ ହୋଇଯାଇଛି। ବିଭାଗୀୟ ସୂଚନା ଅନୁସାରେ, ଝାରବନ୍ଧ ବ୍ଲକର ଡଭା ମାର୍କେଟ ୟାଡରେ ୫୮ ହଜାର ୯୯ ପ୍ୟାକେଟ, ଝାରବନ୍ଧ ୪୮ ହଜାର ୧୮୫, ଅମଠି ୪୩ ହଜାର, ମାଣ୍ଡୋସିଲ ଧାରୋଲରେ ୪୭ ହଜାର ୯୧୮, ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ୟାର୍ଡରେ ୪୯ ହଜାର ୮୮୪ ପ୍ୟାକେଟ ଧାନ ବିକ୍ରି ନ ହୋଇ ପଡିରହିଛି। ସେହିପରି ପାଇକମାଳ ବ୍ଲକ ବାଦୀକଟାରେ ୪୬ ହଜାର ୨୨୩, ଲଖମରାରେ ୪୨ ହଜାର ୭୧୨ ପ୍ୟାକେଟ ଧାନ ଦୀର୍ଘଦିନ ହେଲା ପଡିରହିଛି। ସ୍ଥାନ ଅଭାବ ଏବଂ ଧାନ ଉଠି ପାରୁ ନ ଥିବାରୁ ଚାଷୀମାନଙ୍କ ବୈଧ ଟୋକନ ଥିବା ସତ୍ତ୍ବେ ସେମାନଙ୍କୁ ମଣ୍ଡିକୁ ଧାନ ନ ଆଣିବା ପାଇଁ କୁହାଯାଉଛି। ଏହି ସମସ୍ୟା ଯୋଗୁ ଉପଖଣ୍ଡର ପ୍ରାୟ ୪ହଜାର କୁଇଣ୍ଟାଲ ଧାନର ଟୋକନ ଲାପ୍‌ସ ହେବାକୁ ବସିଲାଣି। ଗତ ରବିବାର ସୁଦ୍ଧା ଉପଖଣ୍ଡର ୨୯ ହଜାର ୫୯୯ ଚାଷୀଙ୍କ ଠାରୁ ୧୫ ଲକ୍ଷ ୭୩ ହଜାର ୧୨୩ ପ୍ୟାକେଟ ଧାନ ପ୍ରଶାସନ ପକ୍ଷରୁ କିଣାଯାଇଥିବା ବେଳେ ବର୍ତ୍ତମାନ ଖୋଲା ଆକାଶ ତଳେ ପ୍ରାୟ ୧୩ ଲକ୍ଷ ପ୍ୟାକେଟ ଧାନ ପଡିରହିଛି। ଅନ୍ୟପକ୍ଷେ ମଣ୍ଡିରୁ ଧାନ ଉଠି ପାରୁ ନ ଥିବାରୁ ବେପାରୀମାନେ ସକ୍ରିୟ ହେବା ସହ ଚାଷୀଙ୍କ ଧାନକୁ ମଣ୍ଡିରୁ କିପରି କମ୍‌ ଦରରେ କିଣିବେ ସେ ନେଇ ଉଦ୍ୟମ ଚଳାଇଛନ୍ତି। ଏ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଲଙ୍କୁ ପଚରାଯିବାରୁ ଦିନେ ଦୁଇ ଦିନ ଭିତରେ ନୂଆ ଟାର୍ଗେଟ ଆସିଲେ ଧାନ ଉଠାଣ ହେବ ବୋଲି କହିଥିଲେ।