ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା (ମାଟିଆଗୁଣ୍ଡି) ଆଦି ରୋଗପୋକ ଉପଦ୍ରବ ବଢ଼ି ଯାଇଛି। ଏହି ରୋଗପୋକ ବ୍ୟାପିବାରେ ଲାଗିଛି। ଫସଲ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ଚାଷୀମାନେ ନାନା କୀଟନାଶକ ପ୍ରୟୋଗ କରୁଛନ୍ତି। ହେଲେ କୀଟନାଶକ କେଉଁଠି କାମକୁ ଆସୁଛି ତ ଆଉ କେଉଁଠାରେ କାମ ଦେଉ ନାହିଁ। ହେଲେ କୀଟନାଶକରେ ପୂର୍ବଭଳି ଆଉ ରିହାତି ନାହିଁ। ଫଳରେ ଗୋଟିଏ ପଟେ ଧାନ ଫସଲ ନଷ୍ଟ ହେବାକୁ ବସିଥିବାବେଳେ ଅନ୍ୟପଟେ ଚାଷୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଅଳ୍ପଦିନ ପରେ ଧାନ ଫସଲ ଗର୍ଭ ଅବସ୍ଥାକୁ ଆସିଯିବ। କିନ୍ତୁ ଏବେଠାରୁ ଫସଲରେ ରୋଗପୋକ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।
ଜିଲାରେ ରବି ଋତୁ ତୁଳନାରେ ଖରିଫ୍‌ରେ ଯଥେଷ୍ଟ ଅଧିକ ଧାନଚାଷ ହୋଇଥାଏ। ରବିରେ ପ୍ରାୟ ୧ଲକ୍ଷ ୨୦ହଜାର ହେକ୍ଟର ଜମିରେ ଚାଷୀମାନେ ଧାନଚାଷ କରିଥାନ୍ତି। କିନ୍ତୁ ଖରିଫ୍‌ରେ ବର୍ଷା ହେଉଥିବା ଯୋଗୁ ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଧାନଚାଷ ହୋଇଥାଏ। ଏଥର ଚଳିତ ଖରିଫ୍‌ରେ ୨ଲକ୍ଷ ୫୩ହଜାର ହେକ୍ଟରରେ ଧାନ ଚାଷ ହୋଇଛି। ଚାଷ ଆରମ୍ଭରୁ ବର୍ଷା ସାଙ୍ଗକୁ ଅନୁକୂଳ ପାଗ ଯୋଗୁ ଫସଲ ମଧ୍ୟ ଠିକ୍‌ଭାବେ ବଢ଼ି ଚାଲିଥିଲା। ଚାଷୀମାନେ ଭଲ ଅମଳ କରିବେ ବୋଲି ଆଶା ରଖିଥିଲେ। ମାତ୍ର ଫସଲରେ ଏବେଠାରୁ ଯେଭଳି ରୋଗପୋକ ଉପଦ୍ରବ ହେଲାଣି, ଚାଷୀଙ୍କ ସେହି ଆଶା ମଉଳିବାରେ ଲାଗିଛି।
ଧାନ ଫସଲରେ ନଲିପୋକ ଉପଦ୍ରବ ଯୋଗୁ ପତ୍ରଗୁଡ଼ିକ ଶୁଖି ଯାଉଛି। ସବୁଜ ବର୍ଣ୍ଣରୁ ତାହା ଧଳାବର୍ଣ୍ଣର ହୋଇ ନଷ୍ଟ ହୋଇ ବସିଛି। ଅନୁରୂପଭାବେ ଚକଡ଼ା ଯୋଗୁ ଫସଲର ବିଭିନ୍ନ ସ୍ଥାନ ପର୍ଯ୍ୟାପ୍ତଭାବେ ନଷ୍ଟ ହୋଇ ପାଳ(ପୁଆଲ) ଭଳି ହେବାରେ ଲାଗିଛି। ଏଭଳି ରୋଗପୋକ ଉପଦ୍ରବ ଚାଷୀଙ୍କ ମନରେ ଫସଲହାନି ଭୟ ସୃଷ୍ଟି କରିଛି। ତେବେ ଏହି ରୋଗପୋକ ନିୟନ୍ତ୍ରଣ ପାଇଁ ଚାଷୀମାନେ ବିଭିନ୍ନ କୀଟନାଶକ ଫସଲରେ ପ୍ରୟୋଗ କରୁଛନ୍ତି। ଫସଲ ରକ୍ଷା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ସେଥିରେ ଯେଭଳି ଖର୍ଚ୍ଚାନ୍ତ ହେବାକୁ ପଡୁଛି। କୀଟନାଶକ ପ୍ରୟୋଗ ସତ୍ତ୍ୱେ ଠିକ୍‌ଭାବେ ତାହା ନିୟନ୍ତ୍ରଣ ହେଉ ନ ଥିବା ଅଭିଯୋଗ ହେଉଛି। ଏହା ଚାଷୀଙ୍କ ମାନସିକ ସ୍ଥିତିକୁ ଆହୁରି ଦୋହଲାଇ ଦେଇଛି।
ବରଗଡ଼ ବ୍ଲକ କଲାପାଣି ଗ୍ରାମର ଜଣେ ଚାଷୀ ସୁରେଶ ନିକାଣ୍ଟି କହିଛନ୍ତି, ଧାନ ଫସଲ ଆରମ୍ଭରୁ ଏଥର ବହୁତ ଭଲ ହୋଇଥିଲା। କିନ୍ତୁ ବର୍ଷା କମିଯିବା ପରେ ତାଙ୍କ ଫସଲରେ ନଲିପୋକ ଏବଂ ଚକଡ଼ା ରୋଗପୋକ ବ୍ୟାପିବା ଆରମ୍ଭ ହୋଇଛି। ଏଥିପାଇଁ ଫସଲରେ ଏବେ କୀଟନାଶକ ପ୍ରୟୋଗ କରିବାକୁ ପଡୁଛି। ଆଗଭଳି କୀଟନାଶକରେ ସରକାର ଆଉ ରିହାତି ଦେଉ ନାହାନ୍ତି। ଫଳରେ କୀଟନାଶକ ପ୍ରୟୋଗରେ ଚାଷୀଙ୍କ ଉପରେ ବର୍ତ୍ତମାନ ସ୍ଥିତିରେ ଏକର ପ୍ରତି ଅତିକମ୍‌ରେ ୨ହଜାର ଟଙ୍କାର ଅତିରିକ୍ତ ବୋଝ ଲଦି ହୋଇ ଯାଉଥିବା ସେ କହିଛନ୍ତି।
ସେହିପରି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ସରକାର ସବୁବେଳେ ଉପତ୍ାଦନ ଖର୍ଚ୍ଚ କମ୍‌ କରିବାକୁ କହୁଛନ୍ତି। ହେଲେ ଫସଲରେ ଯେଭଳି ରୋଗପୋକ ବ୍ୟାପୁଛି, ଉପତ୍ାଦନ ଖର୍ଚ୍ଚ କିଭଳି କମ୍‌ ହେବ। ସରକାର ନିଜ ଦାୟିତ୍ୱରୁ ଓହରି ଯାଉଛନ୍ତି। କୀଟନାଶକରେ ଆଗରୁ ମିଳୁଥିବା ରିହାତିକୁ ବନ୍ଦ କରି ଦେଇଛନ୍ତି। ସେହିପରି ଆଗଭଳି ଆଉ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କୀଟନାଶକ ବିତରଣ କରାଯାଉ ନାହିଁ। ବିଭିନ୍ନ କୀଟନାଶକ ଦୋକାନୀଙ୍କ ପାଖକୁ ଯାଇ ଚାଷୀମାନଙ୍କୁ କୀଟନାଶକ କିଣିବାକୁ ପଡୁଛି। ଦୋକାନୀ ଯେଉଁ ଦର କହିଲେ, ଚାଷୀମାନେ ନିଜ ଫସଲ ରକ୍ଷା ପାଇଁ ସେହିଦରରେ କୀଟନାଶକ କିଣିବାକୁ ବାଧ୍ୟ ହେବା ସହିତ ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ଉତ୍ପାଦନ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କୁ ରିହାତି ମୂଲ୍ୟରେ ଏବଂ ଆବଶ୍ୟକତା ସ୍ଥଳେ ମାଗଣାରେ ମଧ୍ୟ କୀଟନାଶକ ଯୋଗାଇ ଦେବା ଦରକାର ବୋଲି ମହାପାତ୍ର ମତପ୍ରକାଶ କରୁଛନ୍ତି।

Dharitri – Odisha’s No.1 Odia Daily

Share