ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଓ ଫୁଲମଣି ଜୁଆଙ୍ଗ ବୋଲି ସୂଚନା ଜାରି କରାଯାଇଛି।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏପରିକି ଆହତ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ତିରୁଭଲ୍ଲୁର ଯାତ୍ରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କ୍ରମେ ଏକ ୩ ଜଣିଆ ଟିମ୍‌ ତାମିଲନାଡୁ ଗସ୍ତ କରିଛନ୍ତି।

ଘଟଣାକୁ ଗମ୍ଭୀରତାର ସହ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ୩ ଜଣିଆ ବିଶେଷ ତଦନ୍ତ କମିଟି ଗଠନ କରାଯାଇଛି। କମିଟିରେ ଶିଳ୍ପ ସୁରକ୍ଷା ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସାମିଲ ଅଛନ୍ତି। କମିଟିକୁ ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ ୩ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

Share