ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବାଡ଼ାବାଙ୍ଗା-ଲାରିବାଡ଼ି ଦେଇ ଡାକରବାଡ଼ିକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାର ତାଲିଯୋଡ଼ି ବ୍ରିଜ୍ଟି ଧୋଇଯାଇଛି। ଏ ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଶୁକ୍ରବାର ସକାଳେ ଦାରିଙ୍ଗବାଡ଼ି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବିପ୍ଳବ ଘଡ଼େଇ ଏକ ପ୍ରତିନିଧି ଦଳ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଧୋଇଯାଇଥିବା ଅଂଶର ମରାମତି ପାଇଁ ତୁରନ୍ତ ଆକଳନ କରାଯାଇ ଉପରୋକ୍ତ ବିଭାଗକୁ ପଠାଯିବ ଏବଂ ଅନୁଦାନ ମଞ୍ଜୁର ହେବା ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ଯାତାୟାତକୁ ସ୍ବାଭାବିକ କରିବା ପାଇଁ ଆବଶ୍ୟକୀୟ ଅସ୍ଥାୟୀ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ସେଠାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ବ୍ରିଜ୍ ନିର୍ମାଣ ପାଇଁ ସର୍ଭେ ଓ ଅଟକଳ ରିପୋର୍ଟ ସରକାରଙ୍କ ପାଖକୁ ପଠାଯିବାର ଯୋଜନା ରହିଛି।
ସୂଚନାଯୋଗ୍ୟ, ବାତ୍ୟା ଯୋଗୁ ବ୍ରିଜ୍ର କିଛି ଅଂଶ ଭାସିଯିବା ନେଇ ଗୁରୁବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଗୁରୁବାର ଅପରାହ୍ନରେ ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଲାରିବାଡ଼ି, କୁଡ଼ିମୁଞ୍ଜା ଓ ଗବାଟବାଡ଼ି ଅଞ୍ଚଳର ବାତ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।