ପ୍ରତିଭା, ପ୍ରତିକୂଳତା ଓ କବି କାଳିନ୍ଦୀଚରଣ

ଭଲ କବିତା ଯେ ପ୍ରତିଭାମୂଳ- ଏ କଥାରେ ମତାନ୍ତର କ୍ୱଚିତ୍‌ ଥାଏ। ଏହି ଦୃଷ୍ଟିରୁ ବିଚାରକଲେ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ହେଉଛନ୍ତି ଓଡ଼ିଆ ଭାଷାର ଜଣେ ଉଚ୍ଚମାନର କୃତବିଦ୍ୟ କବି, ଯାହାଙ୍କ ଜୀବନରେ କବିତ୍ୱର ଉଦୟ ହୋଇଥିଲା ଛାତ୍ରାବସ୍ଥାରୁ। ମାଆ ଓ ମାଉସୀଙ୍କ ମୁହଁରୁ ଶୁଣିଥିବା ଗୀତରୁ ସେ ଚିହ୍ନିଥିଲେ କବିତା କ’ଣ। ନିଜର ଆତ୍ମଜୀବନୀ ‘ଅଙ୍ଗେ ଯାହା ନିଭାଇଛି’ରେ କାଳିନ୍ଦୀ ଲେଖିଛନ୍ତି, ”…ଯେଉଁ କବିତା ମୁଁ ଶୁଣିଥିଲି, ପୁଣି ଏବେ ସୁଦ୍ଧା ଯାହା ପାସୋରି ଯାଇନାହିଁ, ସେ ହେଲା ନିଜ ବୋଉଙ୍କ ମୁହଁରୁ। ରାତି ଫସର ଫାଟି ଆସୁଥାଏ। କୁଆ କୋଇଲି ନ ଡାକୁଣୁ ବୋଉଙ୍କ କୋଳରେ ଶୋଇ ଯେତେବେଳେ କାନରେ ବାଜିଉଠେ ତାଙ୍କରି ସ୍ବର- ‘ଉଠ ନିଶି ପାହିଲା ଏଥର ହେ ବଂଶୀଧର!’ ମନେହୁଏ ସେତେବେଳେ ପୃଥିବୀରେ ଗୋଟିଏ ମାତ୍ର ବଂଶୀଧ୍ୱନି, ଆଉ କିଛି ନାହିଁ।“
ଶୈଶବ ଓ କୈଶୋରର ସ୍ମୃତି ଯେତେବେଳେ ଅବକାଶ ଖୋଜି କବିଙ୍କ ଲେଖନୀରୁ ଝରିଯାଇଛି, ସେତେବେଳେ ତାହା ଅନ୍ତରାତ୍ମାର ନିବେଦିତ ଉଚ୍ଚାରଣ ହୋଇଥିବାରୁ କାଳାନ୍ତରକୁ ଅମର ହୋଇଯାଇଛି। କବିଙ୍କ ତିରୋଧାନର ବହୁ ବର୍ଷ ପରେ ବି ତାହା ଯେପରି ନିଥରରୁ ଜୀବନର ଅମୃତମୟ ବାଣୀ ହୋଇ ପ୍ରତିଟି ଓଡ଼ିଆ ପାଠକର ଉଦ୍‌ଗ୍ରୀବ କର୍ଣ୍ଣକୁହରରେ ନିକ୍ୱୋଣିତ ହୋଇ ଉଠୁଛି। ଜନ୍ମିତ ଗଁାର ସରୁଦାଣ୍ଡରେ କାହିଁ କେବେ ଜୀବନର ପ୍ରଥମ ଅବଧାନଙ୍କ ପାଖକୁ ଅକ୍ଷର ଶିଖି ଯାଇଥିଲେ କବି ବାପାଙ୍କର ହାତଧରି। କିନ୍ତୁ ତାଙ୍କ ରଚିତ ‘ଗ୍ରାମ-ଚାଟଶାଳୀ’ କବିତା (ଯାହାକୁ କବି ଲେଖିଥିଲେ ଅନେକ ବର୍ଷ ପରେ), ପଢ଼ିଲେ ଲାଗେ, ଏଇ ଯେମିତି ଆମ ଆଗେ ଆଗେ ଛୋଟ ପିଲାଟିଏ ବାପାଙ୍କ ସାଙ୍ଗରେ ଚାଲିଯାଉଛି ଚାହାଳି ଆଡ଼େ। ପୁରାତନ ନୂତନ ହେଇ ଜାଗିଉଠେ ପାଠକର ଚେତନାରେ-”ମନେଅଛି ମୋର/ ଗ୍ରାମ -ଚାଟଶାଳୀ/ ଚିହ୍ନଥିଲି ଯହିଁ ଅକ୍ଷର ଆଗେ,/ସରୁଦାଣ୍ଡ କଡ଼େ/ ଚାଳଘର ଖଣ୍ଡି/ଯାଇଥିଲି ଦିନେ ବାପାଙ୍କ ସଙ୍ଗେ।“
୧୯୪୪-୪୫, ଯେତେବେଳେ ତାଙ୍କର ବୟସ ବି ସେଇ ଚଉରାଳିଶ କି ପଇଁଚାଳିଶ କବି ଲେଖିବସନ୍ତି ତାଙ୍କର ବହୁ ପଠିତ ଓ ବହୁ ଚର୍ଚ୍ଚିତ କବିତା ‘କିଏ ଶଳା ସଇତାନ?’ ‘ଶଳା’ ପରି ଏକ ଶବ୍ଦକୁ ସେ ସାମ୍ୟବାଦୀ କାବ୍ୟ-ଭାବନାର କାଇଁଶିକା ଶର କରି ଶ୍ରେଣୀଶତ୍ରୁଙ୍କ ବିପକ୍ଷରେ ପେଷିଦିଅନ୍ତି। ଏହି ‘ଶବ୍ଦ’ଟିର ପ୍ରୟୋଗରେ ଓଡ଼ିଆ କବିତାର ପ୍ରଚଳିତ Asthetics ଭାଙ୍ଗିଯାଇ ତିଆରି ହୁଏ ପ୍ରଥମ କରି ନୂଆ ସୌନ୍ଦର୍ଯ୍ୟବାଦ: ”ଜନ୍ମ ଆମର ମଣିଷ କୁଳରେ/ ନାହିଁ ଇଜ୍ଜତ ମାନ/ଆମ ଝିଅ ବୋହୂ ସବୁରି ଶାଳୀ ହେ/ ଆମେ ଶଳା ସଇତାନ!“ ଶବ୍ଦର ଆପାତଃ ଅବୈଧାନିକତାରେ ବୈଧାନିକତାର ରଂଜକ ଭରି କବିତାରେ ତିଆରି ହେଲା ପ୍ରତିବାଦର ଭାଷା। ଶିକ୍ଷାର ସଂସର୍ଗରେ କିପରି ସଂସ୍କାରିତ ହୁଏ ପ୍ରତିଭା, ଦୀକ୍ଷିତ ଗ୍ରାହକତାରେ କିପରି ଅଙ୍କୁରିତ ହୁଏ ସୃଜନଶୀଳତା- କାଳିନ୍ଦୀଚରଣଙ୍କ ବିଦ୍ୟାଳୟ-ଜୀବନକୁ ଫେରି ନ ଗଲେ ତା’ର ସୁରାକ ମିଳେନାହିଁ। ପୁରୀ ଜିଲା ସ୍କୁଲରେ ଏକ ପ୍ରତିଯୋଗିତାରେ କବି ବୋଲିଥିଲେ ରାଧାନାଥଙ୍କ ‘ପାର୍ବତୀ’ କାବ୍ୟରୁ ଏଇ ପଙ୍‌୍‌କ୍ତିଟି ତାଙ୍କ ସୁଲଳିତ କଣ୍ଠରେ- ”କେହି ରହିନାହିଁ/ ରହିବେ ନାହିଁଟି/ ଭବ-ରଙ୍ଗ-ଭୂମି ତଳେ/ ସର୍ବେ ନିଜ ନିଜ/ ଅଭିନୟ ସାରି/ ବାହୁଡ଼ିବେ କାଳବଳେ।“ ଗୀତଟି ଶୁଣି ସ୍କୁଲର କଡ଼ା ହେଡ୍‌ମାଷ୍ଟର ଦାଶରଥି ପାଣିଗ୍ରାହୀଙ୍କ ଗୋଲ୍ଡ ଫ୍ରେମ୍‌ର ଚଷମା ଭିତରୁ ଜକେଇ ଆସିଥିଲା ଦୁଇଆଖି। ଆବୃତ୍ତି ଶୁଣୁଥିବା ପଣ୍ଡିତ ଫକୀର ମିଶ୍ର କାବ୍ୟତୀର୍ଥଙ୍କୁ ସେ କହିଥିଲେ- ‘ବାଃ, ଚମତ୍କାର!’ ଏହା ଆବୃତ୍ତିର ସଫଳତା ପାଇଁ ଦାଶରଥିଙ୍କର ତାରିଫ କେବଳ ନ ଥିଲା, ଥିଲା କବିତାଟି ଭିତରେ ଥିବା ନଶ୍ୱରତାର ଦର୍ଶନରେ ବୈରାଗ୍ୟର ଉଦୟରାଗ। ଛାତ୍ର ଜୀବନରେ ଘଟିଥିବା ଏହିଭଳି ବିରଳ ଅନୁଭବ ଭିତରେ କାଳିନ୍ଦୀ ଚିହ୍ନିଥିଲେ କବିତାର ଅପରିମିତ ସୃଜନ-ସମ୍ଭାବନାକୁ, ଯାହା ପାଇଁ ଲୋଡ଼ାହୁଏ ଦୈବୀଦତ୍ତ ପ୍ରତିଭା।
ପୁରୀ ହେରାଗୋହିରୀ ସାହିର ସାମନ୍ତ ଚନ୍ଦ୍ରଶେଖର ହଲ୍‌ରେ ‘ଛାତ୍ରସମାଜ’ର ସଭା ହେଉଥାଏ। ପୌରୋହିତ୍ୟ କରୁଥା’ନ୍ତି ଉତ୍କଳମଣି ଗୋପବନ୍ଧୁ ଓ ସଭା ମଣ୍ଡନ କରିଥା’ନ୍ତି ପଣ୍ଡିତ ନୀଳକଣ୍ଠ। ୧୯୧୯ ମସିହା। ‘ଛାତ୍ରସମାଜ’ର ମୁଖପତ୍ର ‘ଛାତ୍ର ଦର୍ପଣ’ର ଉଦ୍‌ଘାଟନ। ପତ୍ରିକାରେ ସ୍ଥାନିତ ହୋଇଥାଏ କାଳିନ୍ଦୀଙ୍କର କବିତା ‘ବନ୍ଦନା’ ପ୍ରଥମ ରଚନା ଭାବେ। କବିତାର ପଦଟିଏ ଏହିପରି: ”ଝରଝର ଝରେ ଝରଣାଧାର/ ମୁଖରିତ କରେ ଅଚଳ ଶିର/ ଛବିଳ ଉତ୍କଳେ ଲାଗିଅଛି ସଦା ଶୋଭାର ଏ ହାଟ ପରକୃତିର ା“ କବିତାଟି ପଢ଼ି ନୀଳକଣ୍ଠ ଜାଣିବାକୁ ଚାହିଁଥିଲେ ଏ କବିତାର କବି କିଏ? ଏତକ ହିଁ ଯଥେଷ୍ଟ। ପ୍ରତିଭା ପାଇଛି ତା’ର ସତ୍କାରର ଠିକଣା। ସୃଜନଶୀଳତାକୁ ମିଳିଛି ସହୃଦୟତାର ସ୍ବୀକୃତି।
କାଳିନ୍ଦୀ ତାଙ୍କ ରଚିତ ‘କଟକ ରାଜନୀତି’ ଓ ‘ଚକ୍ରବାକ’ କବିତା ଯୋଡ଼ିକର ସୃଜନ-ଉତ୍ସକୁ ସ୍ମରଣ କରି କହିଛନ୍ତି: ”ସାତ ସାହି ବୟାଳିଶ କନ୍ଦିର ପୁରୀ ସହର ଛାଡ଼ି କଟକ ସହରକୁ ମଁୁ ଭଲପାଇଲି- ବେଶି ଭଲପାଇଲି ତା’ର ଖଟିଖିଆ ମଣିଷକୁ; ପୁରୀର ଖାଲି ଠାକୁରଙ୍କ ରାଣ ପକାଇ ମାଗିଖିଆ ମଣିଷଠାରୁ କଟକରେ ଲାଗିଖିଆ ମଣିଷର ଭେଟପାଏଁ ମୁଁ ସବୁ ଗଳିକନ୍ଦି ଭିତରେ- ସେଇ କଟକ ଉପରେ ମୋର କବିତା ‘କଟକ ରାଜନୀତି’: ”ଉଡ଼ି ଚାଲିଥିଲି ଉପରେ ଆକାଶ-ରଥେ /କେତେ ଗିରିମାଳ ମନେ ନାହିଁ ତା’ର ନାମ/ କେତେ ନଦୀ ବିଲ, କେତେ ଶାଳବନ-ପଥେ/ କେତେ ଯେ ଦେଉଳ ଅପରୂପ କାରୁକାମ।/ କଟକ ସହର ଅଟକାଇଦେଲା ମତେ!/ ଦୋକାନ ବଜାର ସାହି ଗଳି ବାଟେ ଚାଲି/ ସବୁଠାରେ ଯାହା ଶୁଣିଲି ଦେଖିଲି ସତେ/ କଟକେ କେବଳ ରାଜନୀତି ଆଜିକାଲି।“ କୁଜଙ୍ଗରେ ସମବାୟ ବ୍ୟାଙ୍କ ମ୍ୟାନେଜର ଥିବା ବେଳେ ଦିନେ ସନ୍ଧ୍ୟାରେ ପାରି ହେଉଛନ୍ତି କବି ଚିତ୍ରୋତ୍ପଳା ନଦୀ। ଦେଖିଲେ ସ୍ବଚ୍ଛ କ୍ଷୀଣସ୍ରୋତ ନିକଟରେ ବସି ରହିଛନ୍ତି ଦୁଇଟି ପକ୍ଷୀ। ପଚାରି ବୁଝିଲେ ପକ୍ଷୀ ଦୁଇଟି ଚକ୍ରବାକ। କବିଙ୍କୁ ନିକଟରେ ଦେଖି ବି ନାହିଁ ସତର୍କତାର ଚାଞ୍ଚଲ୍ୟ। ବସାକୁ ଫେରି ଲେଖିଲେ କବିତା: ”କ୍ଷୀଣ ସ୍ରୋତେ ଶୁଭ୍ର ବାଲି ପରେ/ସୁକୋମଳ ସାନ୍ଧ୍ୟ ଛାୟା ମୃଦୁ ମୃଦୁ ଝରେ;/ ବସି ତହିଁ/ଉଦାସ ବେଦନା ବହି/ଚକ୍ରବାକ ନିର୍ବାକ୍‌ ଦମ୍ପତି/ ଭାଳେ ହରାଇବ ଅବା କି ସ୍ବର୍ଗ-ସମ୍ପତ୍ତି!“ ଘର ଛାଡ଼ି ବୃତ୍ତିଗତ ଜୀବନର ଏକାନ୍ତବାସରେ ଯେଉଁ ଉଦାସୀନତାର ଅନୁଭବ, ତାହା ଯେପରି ପ୍ରତିଫଳିତ ହୋଇ ଉଠିଛି ସମାନ୍ତରାଳ ଏକ ଦୃଶ୍ୟରେ। କବିତାରେ ପର ଲାଗିଛି ପ୍ରତିଭାର ା
ଅନେକତ୍ର ଦେଖାଯାଏ ଯେ, ଯେଉଁଠି ପ୍ରତିଭା, ତାକୁ ଆବୋରି ରହିଥାଏ ଚଉଦିଗରୁ ଅଜସ୍ର ପ୍ରତିକୂଳତା। କବି କାଳିନ୍ଦୀଚରଣ ବୃତ୍ତି ଜୀବନରେ ଥାଇ ସୃଜନଶୀଳତାରେ ଉଦ୍‌ବେଳିତ ହୋଇଉଠୁଥିବା ବେଳେ ତାଙ୍କ ତେଜୋଦୀପ୍ତ ପ୍ରତିଭାରେ ଚିରାଚରିତ ଆତଙ୍କିତ ହୋଇ ଉଠିଛି। ସେ ଚକ୍ରାନ୍ତର ଶିକାର ହୋଇ ସମବାୟ ବ୍ୟାଙ୍କରୁ ତାଙ୍କର ବୃତ୍ତି ହରାଇଛନ୍ତି। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସମେତ କେତେକେତେ ରାୟବାହାଦୁର ହୋଇଛନ୍ତି ଏହି ପ୍ରତିଭା-ବିରୋଧୀ ଚକ୍ରବୂ୍ୟହରେ ଅଂଶୀଦାର। ଭାଗ୍ୟବାନ୍‌ ଯେ କବି, ପରିଶେଷରେ ଏହି ପଥ-ଅଜଣା ବୂ୍ୟହ ଭିତରୁ ବାହାରିଯିବାର ପଥ ହୋଇଉଠିଛି କବିତା। ଯେଉଁ କବି ଲେଖିଥିଲେ ”ବଧୂ ଆସେ ମୋର ଧୀର ସୁଲଳିତ/ ତୃତୀୟ ଜୋଛନା ସମ/ ବଢ଼ାଏ ମୋ’ କରେ କମ୍ପିତ କର/ ସୁକୁମାର ଅନୁପମ।“ (ମଧୁ ବିବାହ, ‘ଉତ୍କଳ ସାହିତ୍ୟ’) ଓ ଯେଉଁ କବି ଲେଖିଥିଲେ, ‘ଗାନ୍ଧାରୀର ଆଶୀର୍ବାଦ’ ଓ ‘ପାସୋରିଦେଲିରେ ଶିମୁଳିପାଳ’ କବିତା, କବିତାରେ ସେଇ କବିଙ୍କ ପ୍ରଥମ ପଦପାତକୁ ପରିବାର ଭିତରୁ ମଧ୍ୟ ମିଳି ନ ଥିଲା ଅକୁଣ୍ଠିତ ସମର୍ଥନ। ତଥାପି ସେ ଲେଖିଥିଲେ କବିତା ଓ ଓଡ଼ିଆ କବିତାରେ ଏକ ନୂଆ ଯୁଗ ତାଙ୍କରି କବିତାର ନବାଲୋକରେ ଆଲୋକିତ ହୋଇ ଉଠିଥିଲା। ପ୍ରସିଦ୍ଧ ଇଂରେଜ କବି ଉଇଲିୟମ୍‌ କୁପର କବିତା ଲେଖିବାକୁ ଆକଟ କରୁଥିବା ଓ ମାଡ଼ ମାରୁଥିବା ତାଙ୍କ ବାପାଙ୍କୁ ଆଉ କେବେ ବି କବିତା ଲେଖିବେ ନାହିଁ ବୋଲି ଅନୁନୟ କରି କହିଥିଲେ: ”Papa! Papa! Bity take!!/ I shall never verses make!“ ହତଭାଗ୍ୟ କବି ବିଚାରା! ପ୍ରତିଭାର ତାଡ଼ନାରେ ସେ ଯେ ନିରୁପାୟ! କବିତାରୁ ତାକୁ ନିରସ୍ତ କରିବାର ପ୍ରତିକୂଳତାକୁ ଜବାବ ଦେବାର ଭାଷା ବି ତା’ର ଆହାଃ ପାଲଟିଯାଏ କବିତା! କାଳିନ୍ଦୀଚରଣ ତ ଖୋଦ୍‌ ଲେଖିଛନ୍ତି: ”ଦୈନନ୍ଦିନ ଜୀବନର, କେତେ ଯେ ବିସ୍ମୟ ଅଭିଭୂତ କରେ ପ୍ରତି ମୁହୂର୍ତ୍ତକୁ! କିଏ ଗଣେ ସେଇ ମୁହୂର୍ତ୍ତକୁ; କିଏ କରେ ତା’ର ମୂଲ୍ୟାୟନ!!“ ଆଜି କବିଙ୍କର ତିରୋଧାନ ଦିବସ। ଦିବସ-ଶର୍ବରୀ ଆଜି ଭରା ତାଙ୍କ କବିତାର ନିର୍ବାଣହୀନ ଗୁଣୁଗୁଣୁରେ। ତାଙ୍କୁ ‘ଧରିତ୍ରୀ’ର ଅଜସ୍ର ପ୍ରଣାମ।

  • ଡ. ହୃଷୀକେଶ ମଲ୍ଲିକ
    ମୋ: ୯୮୫୩୨୮୭୭୫୫

Enter your email to get our daily news in your inbox.

All Right Reserved By Dharitri.Com

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri