ତାଳଚେର ଷ୍ଟେଶନକୁ ମଡେଲ ଷ୍ଟେଶନ କରାଯାଉ

ତାଳଚେର, ୭।୧ (ଡି.ଏନ.ଏ.): ତାଳଚେର ଷ୍ଟେଶନକୁ ମଡେଲ ଷ୍ଟେଶନ ଭାବେ ଘୋଷଣା କରିବା ଏବଂ ୫ ଦଫା ଦାବି ନେଇ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲାପାଳ ବିଶ୍ୱରଞ୍ଜନ ରଥଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ତାଳଚେର ଷ୍ଟେଶନକୁ ମଡେଲ ଷ୍ଟେଶନ ଭାବେ ଘୋଷଣା କରିବା, ତାଳଚେରରୁ କୋଇଲା ପରିବହନ କରୁଥିବା ରେଳ ୱାଗନ ଗୁଡିକରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ପାଲ ଭିଡାଯିବା, ବନ୍ତୋଲ-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ବନ୍ତୋଲ ରେଳ ଫାଟକ ଠାରେ ଅଣ୍ଡର ପାସ୍‌ ନିର୍ମାଣ, ହାଟତୋଟା-ତାଳଚେର ଟାଉନ ମୁଖ୍ୟ ରାସ୍ତାରେ ଅଣ୍ଡର ପାସ୍‌ ଓ ଘଣ୍ଟପଡା-ହାଣ୍ଡିଧୁଆ ରାସ୍ତାରେ ନିର୍ମାଣାଧୀନ ଓଭରବ୍ରିଜ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଚୈତନ୍ୟ ପ୍ରଧାନ, ଅଭୟ ପାଣି, ରାଜକିଶୋର ସାହୁ, ବୃନ୍ଦାବନ ସାହୁ, ଚିନ୍ତାମଣି ମହାପାତ୍ର, କେଶବ ଭୂତିଆ, ପ୍ରଦୀପ ମହାରଣା, ପଦ୍ମ ଚରଣ ସାମଲ, ଗିରିଶ ଚନ୍ଦ୍ର ସାମଲ, ସୁକାନ୍ତ କୁମାର ଦାସ, ବିଭୂତି ଭୂଷଣ ପଟ୍ଟନାୟକ, ସଞ୍ଜୀବ ନାଏକଙ୍କ ସମେତ ତାଳଚେର ଜିଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।