ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ୩ ନମ୍ବର ପ୍ଲାଟଫର୍ମ ନିକଟରେ ଘଟିଛି। ସୌଭାଗ୍ୟବଶତଃ ଟ୍ରେନ ଧିର ଗତିରେ ଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ। କାହାର ମଧ୍ୟ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ଶହଶହ ଯାତ୍ରୀ।
ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ଟ୍ରେନ୍ ଷ୍ଟେଶନରେ ପ୍ରବେଶ କରିବା ବେଳେ ହଠାତ୍ ଚକ ଲାଇନରୁ ଖସିଯାଇଥିଲା। ଲାଇନ୍ୟୁତ ହେବା ପରେ ଟ୍ରେନ ସେହିଠାରେ ଅଟକି ରହିଥିଲା। ଆତଙ୍କିତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ସାମଗ୍ରୀ ଧରି ଷ୍ଟେଶନ ଅଭିମୁଖେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଘଟଣା ପରେ ଷ୍ଟେଶନରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା।
ରେଳବାଇ କର୍ମଚାରୀ ଏବଂ ଆର୍ପିଏଫ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ। ଲାଇନଚ୍ୟୁତ ଟ୍ରେନକୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରେନ୍ ଚଳାଚଳରେ କିଛି ସମୟ ପାଇଁ ବ୍ୟାହତ ସୃଷ୍ଟି ହୋଇଥିଲେ ମଧ୍ୟ ଅନ୍ୟ କୌଣସି ଟ୍ରେନ୍ ପ୍ରଭାବିତ ହୋଇନାହିଁ। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।