ଅସୁରକ୍ଷିତ ହେଲାଣି ତାଳବାହାଳି ଜଙ୍ଗଲ

ବଇଣ୍ଡା,୨୦।୩(ଡି.ଏନ.ଏ.):ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ ଅଧୀନରେ ଥିବା ତାଳବାହାଳି ଜଙ୍ଗଲ ଏବେ ଅସୁରକ୍ଷିତ ହୋଇପଡିଛି। ଏହି ଜଙ୍ଗଲରୁ ଅବାଧ କାଠ ଚାଲାଣ କରାଯାଉଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ପାଇକସାହି ସେକ୍ସନ ନିକଟରେ ଥିବା ଏହି ଜଙ୍ଗଲରେ ଏବେ କାଠ ଚୋରମାନେ ସକ୍ରିୟ ହୋଇପଡ଼ିଛନ୍ତି। ଫଳରେ ଆଗାମୀ ଦିନରେ ଜଙ୍ଗଲଟି ପଦା ହୋଇଯିବା ଆଶଙ୍କା କରାଯାଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜ କାର୍ଯ୍ୟାଳୟଠାରେ ସ୍ଥାନୀୟ ଗ୍ରାମବାସୀ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ତାଳବାହାଳି ଗ୍ରାମବାସୀ ଶୁକ୍ରବାର ଜଙ୍ଗଲକୁ ସୁରକ୍ଷା ଯୋଗାଇଦେବା ପାଇଁ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି, ଆଠମଲ୍ଲିକ ବନଖଣ୍ଡରେ ଏହି ଜଙ୍ଗଲ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୮୮ ମସିହାରେ ୧୨୮୬୫ ଶାଗୁଆନ, ଶିଶୁ, ପଟାସ, ଶାଳ ଭଳି ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା। ତାହା ଏବେ ବଡ ହୋଇଯାଇଥିବାରୁ ଜଙ୍ଗଲଟି ଘଞ୍ଚ ହୋଇପଡିଛି। ହେଲେ କାଠ ଚୋରଙ୍କ ଯୋଗୁ ଏହା ଏବେ ଅସୁରକ୍ଷିତ ହୋଇପଡିଛି। କାଠ ଚୋରମାନେ ଅବାଧରେ ଗଛ କାଟି ଚାଲାଣ କରୁଛନ୍ତି। ବିଳମ୍ବିତ ରାତିରେ କଟର ସାହାଯ୍ୟରେ ଗଛ ଗୁଡିକୁ କାଟି ଜଙ୍ଗଲର ଗୁପ୍ତ ସ୍ଥାନରେ ରଖିବା ପରେ ସେଥିରୁ ପଟା ପ୍ରସ୍ତୁତ କରି ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି। ବନବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତ କରି କାଠ ମାଫିଆମାନେ ଏହି କାରବାର କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଜଙ୍ଗଲରେ ବନ ବିଭାଗ ପକ୍ଷରୁ ରାତ୍ରି ପୋଟ୍ରୋଲିଂ କରାଯାଉ ନ ଥିବା ଯୋଗୁ ନିରାପଦରେ କାଠ ମାଫିଆମାନେ ଗଛ କାଟୁଛନ୍ତି। ପୂର୍ବରୁ ଗ୍ରାମବାସୀ ଏ ନେଇ ଧଣ୍ଡାତୋପା ରେଞ୍ଜ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି କି ବନ ବିଭାଗ ପକ୍ଷରୁ ଚଢାଉ କରାଯାଉନାହଁି। ତୁରନ୍ତ ଏଥିପ୍ରତି ବନ ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ଡିଏଫଓ ଏସ. କୋପଲ କୁହନ୍ତି, ତୁରନ୍ତ ପଦେକ୍ଷେପ ନିଆଯିବ।