ଅଶାନ୍ତ ଭୀମକୁଣ୍ଡ, ସେଲ୍‌ଫି ଉଠାଉଛନ୍ତି ଅମାନିଆ

ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଘାଟ ବାଲିଯୋଡ଼ି ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଲଘୁଚାପ ବର୍ଷା ଯୋଗୁ ଫୁଲୁଛି ବୈତରଣୀ ଆଉ ଭୀମକୁଣ୍ଡ ଏବେ ଅଶାନ୍ତ ହୋଇପଡ଼ିଛି । କିଛି ଦିନ ତଳେ ଭୀମକୁଣ୍ଡରେ ମାଛ ଧରିବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଥିବା ବେଳେ ବିଭିନ୍ନ ସମୟରେ ଅନେକ ଯୁବତୀ/ଯୁବକ ସେଲ୍‌ଫି ନେବାକୁ ଯାଇ ମୃତ୍ୟୁ ଘଟିଛି। ବୈତରଣୀରେ ବନ୍ୟାଜଳ ସ୍ରୋତ ବୃଦ୍ଧି ଫଳରେ ଭୀମକୁଣ୍ଡ କ୍ରମଶଃ ଭୟଙ୍କର ରୂପ ଧାରଣ କରୁଛି। ବନ୍ୟାଜଳର ବେଗ ଭୀମକୁଣ୍ଡର ବିଶାଳ ପ୍ରସ୍ତରରେ ପିଟି ହୋଇ ଅଧିକ ତୀବ୍ର ହେଉଛି। ଅନ୍ୟ ଦିନେ ଭୀମକୁଣ୍ଡର ଶାନ୍ତ, ଶୀତଳ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏବେ ଏହାର ଉଗ୍ରରୂପ ଦର୍ଶକଙ୍କ ମନରେ ଭୟ ସୃଷ୍ଟି କରୁଛି । ତେବେ ଭୀମକୁଣ୍ଡ ଅଶାନ୍ତ ହୋଇ ପଡ଼ିଥିବା ବେଳେ କିଛି ଅମାନିଆ ଯୁବକ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ବିପଦପୂର୍ଣ୍ଣ ଭାବରେ ଓ୍ବାଚ୍‌ ଟାଓ୍ବାରକୁ ଯାଇ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବାର ଦୃଶ୍ୟ ଭାଇରାଲ ହେଉଛି। ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।