ହକି ଖେଳ ପ୍ରତି ଆଗ୍ରହ ବଢ଼ାଅ

ବାଲିକୁଦା,୩୦।୮(ସ୍ବ.ପ୍ର.):ବାଲିକୁଦାସ୍ଥିତ ବୋରିକିନା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀଜାତୀୟ କ୍ରୀଡ଼ାଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ପାରୁଳ ପଟୁଓ୍ବାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ହାଇସ୍କୁଲ ପରିସରରେ ନିର୍ମିତ ମୋ ସ୍କୁଲ ହକି କ୍ଲବର ନୂତନ ଗୃହକୁ ଉଦ୍‌ଘାଟନ କରିଥିଲେ ା ହକି କିମ୍ବଦନ୍ତୀ ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନଙ୍କୁ ହକି ସରଞ୍ଜାମ ବଣ୍ଟନ କରାଯାଇଥିଲା। ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ସକାଶେ ସବୁ ପ୍ରକାର ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଜିଲା କ୍ରୀଡ଼ା ଅଧିକାରିଣୀ ବିଶ୍ୱବିଜୟିନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଅଂଶୁମାନ ଶତପଥୀ, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା, ଜିଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ, ବୋରିକିନା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କୁଷୁମାଞ୍ଜଳି ଦାସ, ଆଇନଜୀବୀ ବୀରନାରାୟଣ ପାତ୍ର, ନେହେରୁ ଯୁବ କେନ୍ଦ୍ର ଜିଲା ସଂଯୋଜକ ନିଖିଲ କୋକୁଲ, ପବିତ୍ର ମୋହନ ସୁବୁଦ୍ଧି, ହକି ସଙ୍ଗଠନ ସଦସ୍ୟା ସୁଷମା ପ୍ରଧାନ, ଖେଳ ଶିକ୍ଷକ ଅନ୍ନଦା ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ା ଜିଲାପାଳ ପଟୁୱାରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ବୋରିକିନା ସମିତିସଭ୍ୟ ସମରେନ୍‌ ରାୟ, ଯୁବ ସଙ୍ଗଠକ ସମୀର ପରିଡ଼ା, ସୁଶାନ୍ତନାୟକ, ବିଇଓ ବାଇଧର ତ୍ରିପାଠୀ, ଏବିଇଓ ଶରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ା