ତାଜମହଲ ଦେଖିବାକୁ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ…

ଆଗ୍ରା, ୨୯।୯ : ୨୦୨୧-୨୨ ମସିହାରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ତାଜମହଲ ଦେଖିବାକୁ ଯାଇଥିବା ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲୋକପ୍ରିୟ କେନ୍ଦ୍ରୀୟ ସଂରକ୍ଷିତ ସ୍ଥାନ ମଧ୍ୟରେ ଶାର୍ଷରେ ରହିଛି।

ସୂଚନା ଅନୁଯାୟୀ, ୨୦୨୧-୨୨ ମସିହାରେ ୩୨.୯ ଲକ୍ଷ ଘରୋଇ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଥିଲେ। ସେହିପରି ଲାଲ କିଲ୍ଲା ଦେଖିବା ପାଇଁ ୧୩.୨ ଲକ୍ଷ ପର୍ଯ୍ୟଟକ ଏବଂ କୁତବ ମିନାର ଦେଖିବାକୁ ୧୧.୫ ଲକ୍ଷ ପର୍ଯ୍ୟଟକ ଆସିଥିଲେ।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଦ୍ୱାରା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ ୨୦୨୨ ଶୀର୍ଷକ ୨୮୦ପୃଷ୍ଠାର ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ କରୋନା ମହାମାରୀ ପ୍ରତିବନ୍ଧକ ଯୋଗୁ ୨୦୨୧ ମସିହାରେ ଭାରତକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲା। ୨୦୨୦ ରେ ୨୭.୪ ଲକ୍ଷ ବିଦେଶୀ ପର୍ଯ୍ୟଟକ ଦେଶକୁ ଆସିଥିଲେ। ସେମାନଙ୍କ ସଂଖ୍ୟା ଗତ ବର୍ଷ ୧୫.୨ ଲକ୍ଷକୁ ହ୍ରାସ ପାଇଥିଲା।

Share