ଗଛରେ ପିଟିହେଲା ତହସିଲଦାରଙ୍କ ଗାଡ଼ି, ୨ ଗୁରୁତର

କୁଜଙ୍ଗ,୨୦ା୪(ଡି.ଏନ୍‌.ଏ.): ଗୁରୁବାର ଅପରାହ୍ନରେ କୁଜଙ୍ଗ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଜଣ ଗୁରୁତର ହୋଇଥିବାର ଜଣାପଡିଛି।

ପ୍ରକାଶ ଯେ, କୁଜଙ୍ଗ ତହସିଲଦାର ବ୍ୟବହାର କରୁଥିବା ଓଡି ୦୫ ଏୟୁ ୮୨୩୬ ନମ୍ବର ବିଶିଷ୍ଟ ବୋଲେରୋରେ ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନ ଓ ଉପବିଭାଗ ଅଧିକାରୀ ଲାଲା ଅମରେନ୍ଦ୍ର ରାୟ ଆଜି ଜଗତ୍‌ସିଂହପୁରର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶିଳ୍ପ ସଂକ୍ରାନ୍ତରେ ଏକ ବୈଠକରେ ଯୋଗଦେବା ପାଇଁ ଯାଇଥିଲେ। ଅପରାହ୍ନରେ କୁଜଙ୍ଗ ଫେରୁଥିବା ବାଟରେ କୁଜଙ୍ଗ ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ଷଣ୍ଢପୁର ଗଡ଼ା ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ବୋଲେରୋଟି ରାସ୍ତାକଡ଼ର ୫ଫୁଟ ତଳକୁ ଖସିଯାଇ ଏକ ଗଛରେ ପିଟି ହୋଇଯାଇଥିଲା। ଗାଡିରେ ଥିବା ଅତିରିକ୍ତ ତହସିଲଦାର ବାଇଧର ପ୍ରଧାନଙ୍କର ଛାତିରେ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ଉପବିଭାଗ ଅଧିକାରୀ ଲାଲା ଅମରେନ୍ଦ୍ର ରାୟଙ୍କର ମୁଣ୍ଡରେ ଗଭୀର କ୍ଷତ ହେବା ସାଙ୍ଗକୁ ହାତ ଭାଙ୍ଗିଯାଇଥିବାର ଜଣାପଡିଛି। ଦୁର୍ଘଟଣା ପରେ ଉଭୟଙ୍କୁ ତତ୍‌କ୍ଷଣା୍‌ତ କୁଜଙ୍ଗ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଶିଳ୍ପ ସଂକ୍ରାନ୍ତ ବୈଠକରେ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯୋଗଦେବାର ଥିବାବେଳେ, ନିଜେ ଅସୁସ୍ଥ ହୋଇପଡ଼ିବାରୁ ଅତିରିକ୍ତ ତହସିଲଦାର ଓ ଉପବିଭାଗ ଅଧିକାରୀଙ୍କୁ ବୈଠକରେ ଯୋଗଦେବା ପାଇଁ ପଠାଇଥିଲେ ବୋଲି ତହସିଲଦାରଙ୍କଠାରୁ ପ୍ରକାଶ।