ଗାଁକୁ ଯାଇ ରାଜସ୍ବ ମାମଲା ଫଇସଲା କରିବେ ତହସିଲଦାର

ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଆସନ୍ତା ୧୫ ତାରିଖରୁ ତହସିଲଦାରମାନେ କ୍ୟାମ୍ପ କୋର୍ଟ ଶୁଣାଣି ଆରମ୍ଭ କରିବେ। ସେହିପରି ପ୍ରତ୍ୟେକ ମାସରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ସେମାନଙ୍କ ଅଧୀନରେ ଥିବା ପ୍ରତ୍ୟେକ ଗଁାକୁ ଯାଇ ବିଭିନ୍ନ ରାଜସ୍ବ ମାମଲା ଫଇସଲା କରିବେ। ଏଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଜିଲାର ନୋଡାଲ ଅଫିସରମାନେ ତହସିଲ ଅଫିସ କ୍ୟାମ୍ପ କୋର୍ଟ ଉପରେ ସ୍ବତନ୍ତ୍ର ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲାର ରାଜସ୍ବ ସମୀକ୍ଷା ବୈଠକରେ ଏହି କାର୍ଯ୍ୟସୂଚୀ ଉପରେ ନିୟମିତ ସମୀକ୍ଷା ହେବ। କ୍ୟାମ୍ପ କୋର୍ଟ କରିବାରେ ଅବହେଳା ହେଲେ ରାଜସ୍ବ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନ୍‌ଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି। ରାଜସ୍ବ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାର ସାର୍ଟିଫିକେଟ୍‌ ବଣ୍ଟାଯାଉଛି। ପ୍ରତ୍ୟେକ ଜିଲାରେ ସମୀକ୍ଷା ବୈଠକ ଯୋଗୁ ରାଜସ୍ବ ସେବାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ସମୀକ୍ଷା ବୈଠକ ପରେ ରାଜସ୍ବ ରଥ ମାଧ୍ୟମରେ ବିଭାଗ ତରଫରୁ ପ୍ରାୟ ୧ ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି। ଏଣିକି କୌଣସି ବିବିଧ, ଜାତିଗତ ପ୍ରମାଣପତ୍ର ଏବଂ ବିବାଦବିହୀନ ଦାଖଲ ଖାରଜ ମାମଲାରେ ଲୋକଙ୍କୁ ତହସିଲ ଅଫିସ ଯିବାର ଆବଶ୍ୟକତା ପଡ଼ିବ ନାହିଁ। ରାଜସ୍ବ କୋର୍ଟରେ ଶୁଣାଣି ହେଉଥିବା ବିଭିନ୍ନ ମାମଲାର ଫଇସଲା ପାଇଁ ଲୋକମାନଙ୍କୁ ତହସିଲ ଅଫିସ ଯିବାକୁ ପଡ଼ିଥାଏ। ସେହିସବୁ ରାଜସ୍ବ ମାମଲାରେ ଲୋକମାନଙ୍କୁ ତହସିଲ ନ ଯିବା ପାଇଁ ତଥା ରାଜସ୍ବ ସେବାକୁ ଅଧିକ ଲୋକାଭିମୁଖୀ କରିବା ସହ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ରାଜସ୍ବ କ୍ଷେତ୍ରାଧିକାରୀ ଯଥା ତହସିଲଦାର ଓ ଅତିରିକ୍ତ ତହସିଲଦାରମାନଙ୍କୁ କ୍ୟାମ୍ପ କୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ପ୍ରତି ସପ୍ତାହରେ ୨ରୁ ୩ ଦିନ ସେମାନଙ୍କ ଅଧୀନରେ ଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ ଅଫିସ, ପଞ୍ଚାୟତ ଓ ଗ୍ରାମରେ କ୍ୟାମ୍ପ କୋର୍ଟ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି।