Categories: Home Leftଖେଳ

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୩୭ ରନର ଟାର୍ଗେଟକୁ ଭାରତ ୧୬.୫ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ଯୋଗୁ ଭାରତ ୪ ମ୍ୟାଚ୍‌ରେ ତୃତୀୟ ବିଜୟ ଓ ୬ ପଏଣ୍ଟ ସହ ଗ୍ରୁପ୍‌-ଏ’ରେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତକୁ ସେମିଫାଇନାଲକୁ ଉନ୍ନୀତ ହେବା ପାଇଁ ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇବାକୁ ପଡ଼ିବ।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୩୬ ରନ କରିଥିଲା। ଏହା ମହିଳା ଟି୨୦ ବିଶ୍ୱକପ୍‌ ଇତିହାସରେ ବାଂଲାଦେଶ ପାଇଁ ସର୍ବାଧିକ ଦଳଗତ ସ୍କୋର। ଦଳ ପାଇଁ ଜୁଏରିୟା ଫିରଦୌସ ୩୩ (୫ ଚୌକା), ଅଧିନାୟିକା ନିଗର ସୁଲତାନା ୩୨ (୪ ଚୌକା) ଓ ସୋଭନା ମୋଷ୍ଟାରି ୨୨ (୨ ଚୌକା) ରନ କରିଥିଲେ।

ଭାରତ ପକ୍ଷରୁ ରାଧା ଯାଦବ ୩ ଓ ଶ୍ରୀ ଚରନୀ ୨ ଉଇକେଟ ନେଇଥିଲେ। ଜବାବରେ ଭାରତ ୧୬.୫ ଓଭରରେ ୫ ଉଇକେଟ ହରାଇ ୧୩୯ ରନ କରିଥିଲା। ଦଳ ପକ୍ଷରୁ ଶେଫାଳି ୩୪ ବଲରେ ବିସ୍ଫୋରକ ୫୩ (୮ ଚୌକା ଓ ୧ ଛକା), ଜେମିମା ରୋଡ୍ରିଗ୍ସ ୧୫ ବଲରେ ୨୬ (୩ ଚୌକା ଓ ୧ ଛକା) ଓ ୟସ୍ତିକା ଭାଟିଆ ୨୩ (୩ ଚୌକା) ରନ କରିଥିଲେ।

Share