Categories: Home Leftଖେଳ

ପ୍ରଥମ ମ୍ୟାଚରେ ଫେଲ୍‌ ମାରିଲେ ବୈଭବ, ଛକା-ଚୌକା ବର୍ଷା କଲେ ସୂର୍ଯ୍ୟକୁମାର, ଫ୍ୟାନ୍ସ ତାଜୁବ

ନୂଆଦିଲ୍ଲୀ,୧୪।୧୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିର ଧମାକାଦାର ଆରମ୍ଭ ହୋଇଛି। ଆଜି ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଆରମ୍ଭ କରି ବୈଭବ ସୂର୍ଯ୍ୟବଂଶୀ ଓ ଶିବମ ଦୁବେଙ୍କ ଭଳି ନାମୀ ଖେଳାଳି ମୈଦାନକୁ ଓହ୍ଲାଇଥିଲେ। ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବଙ୍କ ୬୦ ରନର ବିସ୍ଫୋରକ ଇନିଂସ ବଳରେ ମୁମ୍ବାଇ ହାଇଦ୍ରାବାଦକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଅନ୍ୟପଟେ ବିହାରର ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ମ୍ୟାଚରେ ନିରାଶଜନକ ପ୍ରଦର୍ଶନ କରିଛନ୍ତି।

ମୁମ୍ବାଇ ଓ ହାଇଦ୍ରାବାଦ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ୧୭୨ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୫ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨୧ଟି ବଲରେ ୬୦ ରନ କରି ଅପରାଜିତ ରହିଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସର ୬ଟି ଚୌକା ଓ ୫ଟି ଛକା ସାମିଲ ଥିଲା।

ଏହି ମ୍ୟାଚରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ଶିବମ ଦୁବେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ବୋଲିଂରେ ୨ଟି ଉଇକେଟ୍‌ ନେବା ସହ ବ୍ୟାଟିଂରେ ମାତ୍ର ୫ଟି ବଲରେ୧୩ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ। ମୁମ୍ବାଇ ମାତ୍ର ୧୩.୧ ଓଭରରେ ୩ଟି ଉଇକେଟ୍‌ ହରାଇ ୧୭୩ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀ ଏହି ଟୁର୍ନାମେଣ୍ଟର ପ୍ରାରମ୍ଭିକ ମ୍ୟାଚଗୁଡ଼ିକରେ ବିହାର ଦଳର ନେତୃତ୍ୱ ନେଉଛନ୍ତି। ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ବୈଭବ ୧୨ଟି ବଲରେ ମାତ୍ର ୧୮ ରନ କରିପାରିଥିଲେ। ଚେତନ ସକାରିଆ ନିଜ ବୋଲିଂରେ ନିଜେ ହିଁ ତାଙ୍କ କ୍ୟାଚ ଧରିଥିଲେ। ଦଳର ଅନ୍ୟ ବ୍ୟାଟର୍ମାନେ ମଧ୍ୟ ନିରାଶଜନକ ପ୍ରଦର୍ଶନ କରିଥିଲେ। ଫଳରେ ବିହାର ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୭ ରନ କରିପାରିଥିଲା।

ଚଳିତ ଟୁର୍ନାମେଣ୍ଟରେ କ୍ରୁଣାଲ ପାଣ୍ଡ୍ୟା ବରୋଦା ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ବୋଲିଂରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ୪ ଓଭର ବୋଲିଂ କରି ମାତ୍ର ୭ ରନ ବ୍ୟୟ କରିବା ସହ ୨ଟି ଉଇକେଟ୍‌ ହାସଲ କରିଥିଲେ। ସେହିପରି ବ୍ୟାଟିଂରେ ମଧ୍ୟ ୪୨ଟି ବଲରେ ୪୦ ରନ୍ର ଏକ ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିଲେ।

 

Dharitri – Odisha’s No.1 Odia Daily

Share