ଛତ୍ରପୁର,୧୬।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ନୀଳମାଧବ ପାତ୍ର ଓ ଉପାଧ୍ୟକ୍ଷା ଲଳିତା ପ୍ରଧାନ ଗୁରୁବାର ଛତ୍ରପୁର ଅବସ୍ଥିତ ପୁରୁଣା ଡିଆରଡିଏ କାର୍ଯ୍ୟାଳୟରେ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ସମୟରେ କାର୍ଯ୍ୟାଳୟର କର୍ମଚାରୀ ଓ କର୍ମୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲା ପରିଷଦ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲାପାଳ (ସାଧାରଣ) ପ୍ରମୋଦ କୁମାର ପୃଷ୍ଟି ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲା ଭାଜପା ସଭାପତି ସରୋଜ ସାବତ, ଆସ୍କା-ଘୁମୁସର ସାଙ୍ଗଠନିକ ଜିଲା ସଭାପତି ବିଜୟ ସୱାଇଁ,ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ ପାତ୍ର,ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସୋମନାଥ ପାତ୍ର, ଭାଜପା ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ବେହେରା, ପି. ଧର୍ମା ରେଡ୍ଡୀ, କଣମଣା ମଣ୍ଡଳ ସଭାପତି ଏନ. ଦିନବନ୍ଧୁ, ପି. ରାମବାବୁଙ୍କ ସହିତ ଘୁମୁସର ଅଞ୍ଚଳର ବିଭିନ୍ନ ସଂଗଠନର ନେତା ଓ ଯୁବକର୍ମୀମାନେ ଉପସ୍ଥିତ ରହି ନୂତନ ଦାୟିତ୍ୱ ପାଇଁ ସୱାଗତ ଜଣାଇଥିଲେ।
ଏହି ଅବସରରେ ପ୍ରତିକ୍ରିୟା ରଖି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆମ ପ୍ରତି ଥିବା ବିଶ୍ୱାସ ପାଇଁ କୃତଜ୍ଞ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠା ସହ ପାଳନ କରିବୁ। ବିଶେଷ କରି ଜିଲାର ତଳସ୍ତରରେ ରହୁଥିବା ବଞ୍ଚିତ ଓ ପଛୁଆ ବର୍ଗର ଲୋକମାନଙ୍କ ପାଖରେ ସରକାରୀ ସମସ୍ତ ଯୋଜନା ଓ ସୁବିଧା ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ। ଜିଲାରେ ଥିବା ଦୁଇଜଣ ମନ୍ତ୍ରୀ, ସମସ୍ତ ବିଧାୟକ ଓ ତିନିଜଣ ଏମ୍ପିଙ୍କ ସହ ସମନ୍ବୟ ରଖି ସମସ୍ତଙ୍କୁ ନେଇ ଉନ୍ନୟନ କାର୍ଯ୍ୟକୁ ଗତିଶୀଳ କରାଯିବ। ତଳସ୍ତରରେ ଅବହେଳିତ ଲୋକମାନଙ୍କୁ ମୁଖ୍ୟଧାରାରେ ସାମିଲ କରାଯିବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସେମାନେ କହିଛନ୍ତି। ନୂତନ ନେତୃତ୍ୱ ଆସିବା ସହିତ ଜିଲ୍ଲାର ସମଗ୍ର ଉନ୍ନୟନ କାର୍ଯ୍ୟ ଆହୁରି ଗତିଶୀଳ ହେବ ବୋଲି ସାଧାରଣ ମହଲରେ ଆଶା ପ୍ରକାଶ ପାଇଛି।