ସନ୍ଦେହ କରି ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା

କପ୍ତିପଦା,୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶରତ ଥାନା ଅଧୀନ କାଠଚୁଆ ଗ୍ରାମରେ ଏକ ଅଘଟଣ ଘଟିଛି। ଜଣେ ଯୁବକ ନିଜ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା ପରେ ମୃତଦେହ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ରତନା ସାମାଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା(ନଂ.୭୬/୨୨) ରୁଜୁ ହୋଇଛି। ମୃତକ ହେଲେ ଲାଲା ବିରୁଲି।

ପୋଲିସ ସୂଚନା ମୁତାବକ, କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଅଧୀନ କୁନ୍ତିଡ଼ିହା ଗ୍ରାମର ରତନା ତାଙ୍କ ସାଙ୍ଗ ଲାଲାଙ୍କୁ ଧରି ଗତ ୧ ତାରିଖରେ ଶ୍ୱଶୁର ଘର ଶରତ ଥାନା ଅଧୀନ କାଠଚୁଆ ଗ୍ରାମକୁ ଯାଇଥିଲେ। ସେଠାରେ ସ୍ତ୍ରୀଙ୍କ ସହ ଲାଲାଙ୍କର ସମ୍ପର୍କ ଥିବା ସନ୍ଦେହ କରିଥିଲେ। ତେଣୁ ସେ ୩ ତାରିଖ ରାତିରେ ଠେଙ୍ଗାରେ ଆକ୍ରମଣ କରିବେ ସହ ଲାଲାଙ୍କ ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲେ। ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିଲେ। ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତ ହତ୍ୟାକାଣ୍ଡକୁ ସ୍ବୀକାର କରିଥିବା ପୋଲିସ କହିଛି।