ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମା’: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ବ୍ରହ୍ମପୁର,୧୬ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗୋଳନ୍ଥରା ଥାନା ହଳଦିଆପଦରସ୍ଥିତ ଏକ ହୋଟେଲରେ ଗତ ଶୁକ୍ରବାର ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ତାଙ୍କ ମା’ ଅଭିଯୋଗ କରିଥିଲେ। ତେବେ ମୃତଦେହ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରେ ଯୁବତୀଙ୍କୁ ବଳାତ୍କାର ହୋଇନାହିଁ କି ହତ୍ୟା କରାଯାଇନାହିଁ ବୋଲି ଉଲ୍ଲେଖ କରାଯାଇଛି। ଶ୍ୱାସ ସମସ୍ୟାରୁ ଯୁବତୀଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ କହିଛନ୍ତି, ମୃତା ଯୁବତୀଙ୍କ ମା ଓ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗୋଳନ୍ଥରା ପୋଲିସ ବଳାତ୍କାର ଓ ହତ୍ୟା ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଯାଇଛି। ସେଥିରେ କୌଣସି ଫାଉଲ ପ୍ଲେ ନାହିଁ। ଯୁବତୀଙ୍କୁ ବଳାତ୍କାର କରାଯାଇନାହିଁ କି ହତ୍ୟା ମଧ୍ୟ କରାଯାଇନାହିଁ ବୋଲି ସ୍ପଷ୍ଟ ଭାବେ ଜଣାପଡିଛି। ପୋଲିସ ଭିସେରା ସଂଗ୍ରହ କରିଛି। ତାହା ଭୁବନେଶ୍ୱରସ୍ଥିତ ଏସଏଫଏସଏଲକୁ ପଠାଯିବ। ସେଠାରୁ ତଥ୍ୟ ମିଳିବା ପରେ ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଜଣାପଡିବ ବୋଲି ଏସ୍‌ପି କହିଛନ୍ତି। ଅଟକ ଥିବା ଯୁବକଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଛଡ଼ାଯାଇଛି। ପ୍ରତିଦିନ ଯୁବକ ଜଣଙ୍କ ଥାନାରେ ହାଜର ହେଉଛନ୍ତି ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି।
ସୂଚନାଯୋଗ୍ୟ, ରାୟଗଡାର ମୂଳ ନିବାସୀ ସଂକେତ ସେନାପତି ତାଙ୍କ ମା’ଙ୍କ ସହ ଭୁବନେଶ୍ୱରରେ ରୁହନ୍ତି। ଗତ ଦେଢ଼ ବର୍ଷ ହେଲା ଫେସବୁକରେ ପୁରୀ ଜିଲା ଚନ୍ଦନପୁର ଅଞ୍ଚଳର ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୧୨ ତାରିଖ ସଙ୍କେତଙ୍କ ଜନ୍ମଦିନରେ ଉଭୟେ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ସେଠାରେ ବୁଲାବୁଲି କରି ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ଥିବା ଏକ ହୋଟେଲକୁ ଆସିଥିଲେ। ସେଠାରେ ଯୁବତୀ ଜଣଙ୍କ ରାତି ପ୍ରାୟ ୧୦ଟାରେ ଅସୁସ୍ଥ ହୋଇପଡିଥିଲେ। ସଂକେତ ନିଜ କାରରେ ଏମକେସିଜି ମେଡିକାଲ ନେଇ ସେଠାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଯୁବତୀଙ୍କ ମୃତ୍ୟୁ ଘଟି ସାରିଥିବା କହିଥିଲେ। ମୃତ ପ୍ରେମିକାଙ୍କ ମା’ଙ୍କୁ ସଂକେତ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ବୋଲି ଥାନାରେ ମା ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।