ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର ଲୋକେ ମିଳିମିଶି ସୁଜାତାଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ବାପା ହଳଧର ପ୍ରଧାନ ମଙ୍ଗଳବାର ମଧ୍ୟାହ୍ନରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ରାଜନଗର ଥାନା ଆଇଆଇସି (IIC) ରତିରଞ୍ଜନ ନାୟକ ସଦଳବଳେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଏ ନେଇ ପୁଲିସ କେସ୍ ନମ୍ବର ୩୫୨/୨୬ରେ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍ ଜାରି ରଖିଛି। ଅନ୍ୟପଟେ, ପୁଲିସ ଏହି ଘଟଣାରେ ମୃତ ସୁଜାତାଙ୍କ ସ୍ୱାମୀ ଧର୍ମେନ୍ଦ୍ର ରାଉତଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ବାପା ହଳଧର ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ଗତ ୯ ବର୍ଷ ତଳେ ସୁଜାତା ଗୋସିଗାଁରେ ବିବାହ କରିଥିଲେ। ତେବେ ବିବାହ ପରଠାରୁ ଶାଶୂଘର ଲୋକେ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

Dharitri – Odisha’s No.1 Odia Daily

Share