ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି ହାତୀପଲକୁ ଦେଖିବା ପାଇଁ ଘଟଗାଁ ବ୍ଲକ ଡ଼ପାଣି ଗ୍ରାମର ମଦନ ନାଏକ ସେଠାକୁ ଯାଇଥିଲେ ।
ସୂଚନା ଅନୁଯାୟୀ, ହାତୀ ଦେଖୁଥିବା ବେଳେ ଏକ ମାଈ ହାତୀ ତାଙ୍କୁ ଦୌଡ଼ାଇଥିଲା। ଭୟରେ ଦୌଡ଼ିବା ସମୟରେ ସେ ତଳେ ପଡ଼ିଯାଇଥିଲେ। ତେବେ ହାତୀ ତାଙ୍କୁ ଆକ୍ରମଣ କରିଥିଲା କି ନାହିଁ, ସେନେଇ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ସ୍ପଷ୍ଟ ହୋଇନାହିଁ ।
ସନ୍ଧ୍ୟା ପ୍ରାୟ ୭ଟାରେ ସେ ଘରକୁ ଫେରିଥିଲେ। ପରେ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଗାଁ ପୋଲିସ ଓ ପାଟଣା ବନ ବିଭାଗ ମଙ୍ଗଳବାର ଶବକୁ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି ।