ଖଇରପୁଟ/ମାଲକାନଗିରି,୨୩।୧୧ (ଜଗନ୍ନାଥ ମାଝୀ/ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା (ସୁନା ନଗର) ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତ ଡୁମୁରିପଦର ଗ୍ରାମର ରଶ୍ମିତା ହନ୍ତାଳ।
ଅନ୍ୟପଟେ ଚିକିତ୍ସା ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅସୁସ୍ଥ ଥିବା ସତ୍ତ୍ୱେ ରଶ୍ମିତାଙ୍କୁ ଠିକ୍ ସମୟରେ ଚିକିତ୍ସା ମିଳିଥିଲା କି ନାହିଁ, ମୃତ୍ୟୁର ପ୍ରକୃତ କାରଣ କ’ଣ ଏବଂ ଏଥିରେ କାହାର ଅବହେଳା ରହିଛି କି ନାହିଁ, ତାର ନିରପେକ୍ଷ ତଦନ୍ତ ପାଇଁ ପରିବାର ଲୋକେ ଏବଂ ଅଭିଭାବକମାନେ ଦାବି କରିଛନ୍ତି।
ଡୁମୁରିପଦର ଗ୍ରାମର ବାଙ୍ଗରୁ ହନ୍ତାଳ ଓ ସାଲମୀ ହନ୍ତାଳଙ୍କ ଝିଅ ରଶ୍ମିତା ପରକନମାଳା ସେବାଶ୍ରମରେ ଛାତ୍ରାବାସରେ ରହି ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ। ତେବେ ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ରବିବାର ରାତିରେ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା।
ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ କୁଡୁମୁଲୁଗୁମ୍ମା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ରଶ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ସେବାଶ୍ରମର ପ୍ରଧାନଶିକ୍ଷକ ଆନନ୍ଦ ମଣ୍ଡଳଙ୍କୁ ପଚାରିବାରୁ ସେ କହିଥିଲେ, ଛାତ୍ରୀ ଜଣକ ସକାଳେ ନିଦରୁ ନ ଉଠିବାରୁ ତୁରନ୍ତ ତାଙ୍କୁ ମେଡିକାଲକୁ ନେବାର ବ୍ୟବସ୍ଥା କରାଯାଇଥିଲା। ତେବେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଜିଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକେ ଏବଂ ଓର୍କେଲ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ଘଟଣା ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
ଅନ୍ୟପକ୍ଷେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୈତିକ ତତ୍ପରତା ମଧ୍ୟ ପ୍ରକାଶ ପାଇଛି। ଜିଲା ବିଜେଡି ସଭାପତି ମାନସ ମାଡ଼କାମୀ ଏବଂ ଜିଲା ଯୁବ ବିଜେଡି ସଭାପତି ଶ୍ରୀନିବାସ ମୁଦୁଲିଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ସେବାଶ୍ରମରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଛନ୍ତି। ମାଲକାନଗିରି ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିଦ୍ୟାଳୟଗୁଡ଼ିକରେ ବାରମ୍ବାର ଏଭଳି ଘଟଣା ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ପ୍ରଶ୍ନ ପୁଣି ସାମ୍ନାକୁ ଆଣିଛି ।