କେସିଙ୍ଗା,୨୬।୪ (ତୁମେଶ୍ୱର ସାହୁ): ଜ୍ୱାଇଁ ଓ ଶ୍ବଶୁରର ମୃତ୍ୟୁକୁ ନେଇ ପରିବାର ଲୋକେ ଜିଆରପିଙ୍କୁ ତଦନ୍ତ ପାଇଁ ଦୃଢ଼ ଦାବି କରିଛନ୍ତି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କିକିଆ ଗ୍ରାମର ସୁଦାମ ନାଏକ(୬୫) ଓ ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅଧୀନ ଲୁଥୁର ବନ୍ଧ ଗ୍ରାମର ଶ୍ବଶୁର ଲିଙ୍ଗରାଜ ସାହା(୮୫)ଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ନେଇ ଘରକୁ ଫେରୁଥିବା ସମୟରେ ଗତ ୨୩ ତାରିଖରେ ଜ୍ବାଇଁଙ୍କ ମୃତଦେହ ଦହିଖାଲ ଓ ଶ୍ୱଶୁରଙ୍କ ମୃତଦେହ ରାୟଗଡ଼ା ପ୍ଲାଟଫର୍ମ ୫ରୁ ମିଳିବାରୁ ପରିବାରର ବର୍ଗ ସୁପରି କଳ୍ପିତ ହତ୍ୟାକାଣ୍ଡ ଅଭିଯୋଗ କରିଛନ୍ତି। ଏ ନେଇ ଜିଆରପିଙ୍କୁ ଉଚିତ ତଦନ୍ତ ପାଇଁ ମୃତ ସଦାମର ପୁତୁରା ସଞ୍ଜୟ ନାଏକ ଦାବି କରିଛନ୍ତି। ରାୟଗଡ଼ା ଜିଆରପି ପୋଲିସ ଟ୍ରେନରେ ଖସିଯିବା ଭଳି ସନ୍ଦେହ କରି ଘଟଣାକୁ ହାଲକା ଭାବେ ନ ନେଇ ଉଚିତ ତଦନ୍ତ କରିବାକୁ ଦାବି କରୁଛନ୍ତି।
ଅନ୍ୟପଟେ ପରିବାରଲୋକେ ଏହାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି। ୬୭ କିମି ବ୍ୟବଧାନରେ ଉଭୟଙ୍କ ମୃତଦେହ ମିଳିଥିବାରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେଣୁ ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଘଟଣାକୁନେଇ କେସିଙ୍ଗା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ନିରାକାର ପ୍ରଧାନ କହିଛନ୍ତି ସୁଦାମ ଜଣେ ଅତି ସରଳ, ନିଷ୍କପଟ ବ୍ୟକ୍ତି । ତାଙ୍କର କାହାରି ସହ ଝଗଡ଼ା କି ଶତୃତା ନ ଥିଲା । ସୁଦାମ ଓ ତାଙ୍କ ଶ୍ୱଶୁରଙ୍କ ଶବ ଯେଉଁଭଳି ରେଳ ଧାରଣା କଡ଼ରୁ ମିଳିଛି ତାହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେ କହିଛନ୍ତି । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କଲେ ବହୁ ଗୁମର ଫିଟିବ ବୋଲି କହିଛନ୍ତି।
ଅନ୍ୟପକ୍ଷେ ଶନିବାର ମୃତଦେହ ବ୍ୟବଚ୍ଛେଦ ପରେ ସୁଦାମଙ୍କ ଜନ୍ମମାଟି କିକିଆରେ ପହଞ୍ଚିବା ପରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା। ରାତିରେ ଶବ ସତ୍କାର କରାଯାଇଥିଲା । ସୁଦାମଙ୍କ ଶ୍ୱଶୁରଙ୍କ ଲୁଥୁର ବନ୍ଧ ଗ୍ରାମରେ ଶବ ସତ୍କାର ହୋଇଥିଲା। ଶ୍ୱଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା । ସେ ଲଗାତାର ଭାବେ ତାଙ୍କ ଶ୍ୱଶୁରଙ୍କୁ ବିଶାଖାପାଟଣାକୁ ଚିକିତ୍ସା ପାଇଁ ନେଉଥିଲେ। ସେ ସୁସ୍ଥ ମଧ୍ୟ ହୋଇଥିଲେ। ସୁଦାମଙ୍କୁକୁ କିଛି ଜମି ଦେବାକୁ ଲିଙ୍ଗରାଜ କହିଥିଲେ ବୋଲି ପରିବାର ଲୋକେ କହୁଛନ୍ତି। ଅନ୍ୟପଟେ ଲୁଥୁରବନ୍ଧରେ ଜମିକୁ ନେଇ କିଛି ବିବାଦ ଥିବା ଚର୍ଚ୍ଚା ହେଥିବା ବେଳେ ହତ୍ୟା ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି। ବିଶାଖାପାଟଣା ଷ୍ଟେଶନରେ ଘଟଣା ଦିନ ଶେଷଥର ପାଇଁ ଲିଙ୍କ ଫେଲ ହୋଇଥିବାରୁ ଅନ୍ୟ ଏକ ଟ୍ରେନ୍ ଆସୁଥିବା ନେଇ ପରିବାର ସହ ସୁଦାମ ଫୋନରେ କଥା ହୋଇଥିଲେ। ତେଣୁ ମୃତ୍ୟୁକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗିରହିଛି।
Dharitri – Odisha’s No.1 Odia Daily