ଗଳାକାଟି ହତ୍ୟାକଲେ ଦୁର୍ବୃତ୍ତ: ପୂର୍ବ ଶତ୍ରୁତା ସନ୍ଦେହ

ଦାରିଙ୍ଗବାଡ଼ି/ବ୍ରାହ୍ମଣିଗାଁ, ୩।୭ (ଅରୁଣ ସାହୁ /ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣିଗାଁ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଉକ୍ତ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଅଞ୍ଚଳର ମହେଶ୍ୱର ମାଝି(୫୦)। ମହେଶ୍ୱରଙ୍କ ବେକରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କୁ ଗଳକାଟି ହତ୍ୟା କରାଯାଇଛି। ଏନେଇ ଥାନାରେ ମହେଶ୍ୱରଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ବ୍ରାହ୍ମଣିଗାଁ ଥାନା ଅଧିକାରୀ ଚାପାଧାରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବ୍ରହ୍ମପୁରରୁ ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତକୁ ଜୋର୍‌ଦାର କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।