Posted inଜାତୀୟ

କୃଷି ଆଇନ ସ୍ଥଗିତ ରଖ

ନୂଆଦିଲ୍ଲୀ, ୧୨ା୧: ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ଏହାର ସମାଧାନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୩ ବିବାଦୀୟ ଆଇନକୁ ସ୍ଥଗିତ ରଖିବ ନା ଆମେ ସ୍ଥଗିତାଦେଶ ଜାରି କରିବୁ ବୋଲି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନଜନିତ ଅଚଳାବସ୍ଥାର ସମାଧାନ ପାଇଁ ପୂର୍ବତନ ସିଜେଆଇ ଆର୍‌.ଏମ୍‌. ଲୋଧାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଗଢ଼ିବା ଲାଗି ଅଦାଲତ ପ୍ରସ୍ତାବ ଦେଇଛନ୍ତି।
ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ହଜାର ହଜାର ଚାଷୀ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ହାଡ଼ଥରା ଶୀତ ଓ ବର୍ଷାରେ ପଡ଼ିରହିଥିବାରୁ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଥିଲେ। ସରକାର ଯେଉଁଭଳି ଢଙ୍ଗରେ ବୁଝାମଣା ପ୍ରକ୍ରିୟା ଚଳାଇଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ। କୃଷି ଆଇନକୁ ଚ୍ୟାଲେଞ୍ଜ ଓ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ବିରୋଧ କରି ଦାଏର ଏକାଧିକ ପିଟିଶନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ରାଜ୍ୟଗୁଡ଼ିକ କେନ୍ଦ୍ର ଆଇନ ବିରୋଧରେ ବିଦ୍ରୋହ କରୁଛନ୍ତି। ଏସବୁ କ’ଣ ଚାଲିଛି ବୋଲି ଅଦାଲତ ପ୍ରଶ୍ନ କରିଥିଲେ।
ଯଦି କିଛି ଅଘଟଣ ଘଟେ, ସେଥିପାଇଁ ଆମ ସମସ୍ତଙ୍କୁ ଦାୟୀ ରହିବାକୁ ପଡ଼ିବ। ଆମ ହାତରେ କେହି ଆହତ ହୁଅନ୍ତୁ ବା ରକ୍ତପାତ ଘଟୁ, ଏହା ଆମେ ଚାହୁଁନା ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ କେନ୍ଦ୍ରକୁ କହିଥିଲେ। ଆନ୍ଦୋଳନର ସମାଧାନ ପାଇଁ ସରକାର ଅଧିକ ସମୟ ମାଗିବାରୁ ସିଜେଆଇ କହିଥିଲେ, ଯଥେଷ୍ଟ ସମୟ ଦିଆଗଲାଣି। ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରୁଥିବା ଆମେ ଅନୁଭବ କରୁନାହୁଁ। ପ୍ରକୃତରେ ସରକାର ସମସ୍ୟାର ଅଂଶବିଶେଷ ନା ସମାଧାନର, ତାହା ଆମେ ଜାଣିପାରୁନାହୁଁ। ଏଭଳି ସ୍ଥିତି ଲାଗି ରହିଲେ ଦିନେ ନା ଦିନେ ନିଶ୍ଚୟ ଶାନ୍ତି ଭଙ୍ଗ ହେବ। ରକ୍ତପାତ ପାଇଁ କିଏ ଦାୟୀ ରହିବ ବୋଲି ସିଜେଆଇ ପ୍ରଶ୍ନ କରିଥିଲେ। ସର୍ବୋଚ୍ଚ ଅଦାଲତ ତରବରିଆ ଭାବେ ରାୟ ପ୍ରଦାନ କରିବାକୁ ନେଇ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ପ୍ରଶ୍ନ ଉଠାଇବାରୁ ଜଷ୍ଟିସ୍‌ ବୋବ୍‌ଡେ କହିଥିଲେ, ଧୈର୍ଯ୍ୟ ଉପରେ ଆମକୁ ଭାଷଣ ଦିଅନାହିଁ। ଆନ୍ଦୋଳନ ସ୍ଥଳରୁ ବରିଷ୍ଠ ନାଗରିକମାନେ ଘରକୁ ଫେରିଯିବା ଲାଗି ମଧ୍ୟ ସିଜେଆଇ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ଚାଷୀମାନଙ୍କୁ ଆଶ୍ୱାସନା ଦେଇ ସେ କହିଥିଲେ, ସେମାନଙ୍କ ଉଦ୍‌ବେଗ ଅଶୁଣା ରହିବ ନାହିଁ। ଆପଣମାନଙ୍କର ବିଶ୍ୱାସ ଥାଉ କି ନ ଥାଉ, ଅଦାଲତ ତାଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ବୋଲି ସିଜେଆଇ କହିଥିଲେ।
୩ କୃଷି ଆଇନ ପ୍ରତ୍ୟାହାର ଚାଷୀ ସଂଗଠନଗୁଡ଼ିକର ମୁଖ୍ୟ ଦାବି ହୋଇଥିବାବେଳେ ଏଥିପାଇଁ କୃଷି ଆଇନ ଉପରେ ଏକ କମିଟିର ଆବଶ୍ୟକତା ରହିଥିବା ଖଣ୍ଡପୀଠ କହିଥିଲେ। କମିଟି ପରାମର୍ଶ ଦେଲେ, ତେବେ ଅଦାଲତ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବେ। ପୂର୍ବତନ ସିଜେଆଇଙ୍କ ନେତୃତ୍ୱରେ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେବା ସହ ସେଥିରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌)ର ବିଶେଷଜ୍ଞମାନଙ୍କୁ ନେବାକୁ କହିଥିଲେ। କୃଷି ଆନ୍ଦୋଳନର ସମାଧାନ ସୂତ୍ର ଉକ୍ତ କମିଟି ବାହାର କରିପାରିବ ବୋଲି ଖଣ୍ଡପୀଠ କହିଥିଲେ।
ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଗୃହୀତ କରାଇଥିବା ୩ କୃଷି ଆଇନକୁ ବିରୋଧ କରି ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ୪୦ରୁ ଊର୍ଦ୍ଧ୍ୱ କୃଷକ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି। ଏହାର ସମାଧାନ ଲାଗି ସରକାର ଚାଷୀ ସଂଗଠନଗୁଡ଼ିକ ସହ ଇତିମଧ୍ୟରେ ୮ ଥର ଆଲୋଚନା କଲେଣି। କିନ୍ତୁ ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଅଡ଼ିବସିଥିବାବେଳେ ସରକାର ଏହାକୁ ଫେରାଇ ନ ନେବା ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ସୂତ୍ର ବାହାରିପାରୁନାହଁ। ଗତ ଦୁଇମାସରେ ଅନେକ ଚାଷୀ ପ୍ରାଣ ହରାଇଲେଣି। ଡିଏମ୍‌କେ ଏମ୍‌ପି ତିରୁଚି ଶିବା ଏବଂ ଆରଜେଡି ନେତା ମନୋଜ କେ. ଝାଙ୍କ ସମେତ ଏକାଧିକ ବ୍ୟକ୍ତି ୩ କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହ ଦିଲ୍ଲୀ ସୀମାରୁ ଚାଷୀ ଆନ୍ଦୋଳନ ହଟାଇବା ପାଇଁ ଆବେଦନ କରିଥିଲେ। ସିଜେଆଇଙ୍କ ନେତୃତ୍ୱରେ ୩ ଜଣିଆ ବେଞ୍ଚ୍‌ ପିଟିଶନଗୁଡ଼ିକର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ ରାୟ ମାନିନେବୁ: ତୋମାର

କୃଷି ଆଇନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ଦିଆଯାଇ ପାରିବ ନାହିଁ। ଏହି ପ୍ରସଙ୍ଗରେ ମଙ୍ଗଳବାର ଶୀର୍ଷ ଅଦାଲତ ଯାହା ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ତାକୁ ସହୃଦୟରେ ମାନିନେବେ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି। କେନ୍ଦ୍ରର ମୁକାବିଲା ମନୋଭାବ ଚାଷୀଙ୍କ ପ୍ରତି ଅପମାନ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି।
ବୈଧତାର ଶୁଣାଣି କରାଯାଉ: କଂଗ୍ରେସ

କୃଷି ଆଇନ ଦେଶର ୬୫ ପ୍ରତିଶତ ଜନସଂଖ୍ୟା ଉପରେ ପ୍ରଭାବ ପକାଇଥିବାରୁ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ସହ ସାମ୍ବିଧାନିକ ବୈଧତାର ଶୁଣାଣି କରନ୍ତୁ ବୋଲି କଂଗ୍ରେସ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନିଷ ତିଓ୍ବାରୀ କହିଛନ୍ତି। ଯଦି ସରକାର ଆଇନକୁ ସ୍ଥଗିତ ନ ରଖନ୍ତି, ତେବେ ଆମେ ଏହାର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଦେବୁ ବୋଲି ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଶୁଣାଣି ଓ ମତାମତ ଭାଜପା ସରକାରଙ୍କୁ ସମ୍ପୂର୍ଣ୍ଣ ପଦାରେ ପକାଇଛି ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେର୍‌ଗିଲ୍‌ ଟୁଇଟ୍‌ କରିଛନ୍ତି।

ଆଇନ ସ୍ଥଗିତ ରହିଲେ ବି ଜାରି ରହିବ ଆନ୍ଦୋଳନ: ବିକେୟୁ

ନୂଆ କୃଷି ଆଇନ କାର୍ଯ୍ୟକାରିତାକୁ ସ୍ଥଗିତ ରଖିଦେବା ସମାଧାନ ନୁହେଁ। ସରକାର କିମ୍ବା ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିଲେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତାମାନେ କହିଛନ୍ତି। ସୁପ୍ରିମକୋର୍ଟଙ୍କ ମତାମତକୁ ସ୍ବାଗତ କରୁଛୁ, କିନ୍ତୁ ଆନ୍ଦୋଳନ ବନ୍ଦ କରିବା ଏକ ବିକଳ୍ପ ନୁହେଁ। ସ୍ଥଗିତ ସୀମିତ ସମୟ ପାଇଁ ବୋଲି ହରିୟାଣା ଭାରତୀୟ କିଷାନ ୟୁନିୟନ(ବିକେୟୁ) ସଭାପତି ଗୁର୍‌ନାମ ସିଂ ଚଡୁନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri