ବକେୟା ଋଣ ଚାପରେ ଯୁବକଙ୍କ ଆତ୍ମହତ୍ୟା! କାଜୁ ବଗିଚାରୁ ମିଳିଲା ମୃତଦେହ

ଭଞ୍ଜନଗର, ୨୩।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ମୃତକ ହେଲେ କୁନା ଗୌଡ଼। ବକେୟା ଋଣ ଚାପକୁ ନେଇ ସେ ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, କୁନା କିଛି ଦିନ ପୂର୍ବରୁ ତିନୋଟି ମିକ୍ସର ମେଶିନ୍ କିଣିଥିଲେ। ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ଋଣ କରିଥିବା ଜଣାପଡ଼ିଛି। ପରିବାର ସହ ହସଖୁସିରେ ଚାଲୁଥିବା କୁନାଙ୍କ ଉପରେ ଋଣର ବୋଝ ବଢ଼ିବାରୁ ସେ ମାନସିକ ଚାପରେ ରହୁଥିବା ଚର୍ଚ୍ଚା ହେଉଛି।

ଗତ ସୋମବାର କୁନାଙ୍କ ସ୍ତ୍ରୀ ବାପଘରକୁ ଯାଇଥିବା ବେଳେ ଘରେ କୁନା ଓ ତାଙ୍କ ବାପା-ମା’ ଥିଲେ। ରାତି ପ୍ରାୟ ୧୦ଟା ସମୟରେ ସେ ସ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ। ମଙ୍ଗଳବାର ସକାଳେ ନିଜ ଜମି ନିକଟରେ ଥିବା ଏକ କାଜୁ ବଗିଚାରେ ବେକରେ ରଶି ଲଗାଇ ଝୁଲିଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା।

ଆଶ୍ଚର୍ଯ୍ୟର କଥା, ଘଟଣାସ୍ଥଳଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଜମିରେ କୁନାଙ୍କ ବାପା ଚାଷ କାମ କରୁଥିଲେ। ପୁଅର ମୃତ୍ୟୁ ସମ୍ପର୍କରେ ସେ କୌଣସି ସୂଚନା ପାଇପାରି ନ ଥିଲେ। ପରେ ଘରକୁ ଫେରି କୁନାଙ୍କୁ ଖୋଜାଖୋଜି କରିବା ସମୟରେ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା।

ଖବର ପାଇ ତାରସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ତାରସିଂ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share