ନାବାଳକଙ୍କୁ ବଳି ସନ୍ଦେହ ମାମଲା: ମଙ୍ଗଳା କୋଠି ପୂଜାରିଣୀଙ୍କ ସହ ୩ ଗିରଫ

ଅନୁଗୋଳ,୩୦ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଗୋଡ଼, ହାତ ନ ଥିବା କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷେ ନାବାଳକଙ୍କୁ ବଳି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବା ବେଳେ ଏବେ ବି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହି ପରିପ୍ରେକ୍ଷୀରେ ପୋଲିସ ରବିବାର ଜଣେ ନାବାଳକଙ୍କ ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମଙ୍ଗଳା କୋଠି ପୂଜାରିଣୀ ରିତାଞ୍ଜଳି ବାଘଙ୍କ ସହ ଅନ୍ୟ ୩ଜଣ ପୁରୁଷ ବୋଲି ଜଣାପଡିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇଛି। ହେଲେ ବ୍ୟବଚ୍ଛେଦ ଏବଂ ସାଇଣ୍ଟିଫିକ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମ୍ନୀ ଜଣେ ମହିଳା ତାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତଙ୍କ ଦେହ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ। ସେଠାରେ ସେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିଲେ। ଏପରିକି ରାତିରେ ମା’ ମଙ୍ଗଳାଙ୍କ କୋଠିରେ ମା’ ପୁଅ ଅଧିଆ ପଡ଼ିଥିଲେ । ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ତାଙ୍କ ପୁଅକୁ ସେଠାରେ ପାଇ ନ ଥିଲେ। ଖୋଜାଖୋଜି ପରେ ମଧ୍ୟ ପୁଅର ପତ୍ତା ମିଳି ନ ଥିଲ। ପରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ହେଲେ ଶୁକ୍ରବାର ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ହେଲେ ଗୋଡ଼ ଓ ହାତ ନ ଥିବା ଜଣାପଡିଥିଲା। ଏଭଳି ମୃତ୍ୟୁକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ବଳି ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବାରିଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିବା ସହ ପୋଲିସ ଗାଡ଼ି ଜାଳି ଦେଇଥିଲେ।