ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଡ.ସୁଶାନ୍ତ କୁମାର ମଲ୍ଲିକ ସନ୍ଧ୍ୟାରେ ଡ. ପଣ୍ଡାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।
ପରେ ଅଧ୍ୟକ୍ଷ ମଲ୍ଲିକ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି କଲେଜର ଉନ୍ନତି ପାଇଁ ସହଯୋଗ କାମନା କରିଥିଲେ। ବିଧାୟକ ନାୟକ କଲେଜର ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର, ଭାଜପା ନେତା ଧୋବା ଗୌଡ, ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ, ଡ. ମଲ୍ଲିକ ଗତବର୍ଷ ସେପ୍ଟେମ୍ବର ମାସ ପୂର୍ବରୁ କିଛି ବର୍ଷ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ସେଠାକୁ ଆସିକା ମହାବିଦ୍ୟାଳୟରୁ ଡ .ସ୍ମିତାରାଣୀ ପଣ୍ଡାଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ବଦଳି ହୋଇଥିଲା। ଡ.ପଣ୍ତା ଅବସର ନେବାପରେ ସୁଶାନ୍ତ ପୁଣି ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି।