Categories: ଖେଳ

ଲକ୍ଷ୍ନୌ ଦଳରେ ଉନାଡକଟ୍‌ଙ୍କ ସ୍ଥାନରେ ସୂର୍ଯ୍ୟାଂଶ

ଲକ୍ଷ୍ନୌ,୧୯ା୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଘାତପ୍ରାପ୍ତ ଅଲରାଉଣ୍ଡର ଜୟଦେବ ଉନାଡକଟ୍‌ଙ୍କ ସ୍ଥାନରେ ମୁମ୍ବାଇ ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଜ୍‌ଙ୍କୁ ଦଳରେ ସାମିଲ କରିଛି। ନେଟ୍ସରେ ଟ୍ରେନିଂ ବେଳେ ଉନାଡକଟଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ଫଳରେ ସେ ଅବଶିଷ୍ଟ ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିଲେ। ଦୁଇ ସପ୍ତାହ ପରେ ଉନାଡକଟଙ୍କ ସ୍ଥାନରେ ଜଣେ ଖେଳାଳିଙ୍କୁ ବଦଳ କରାଯାଇଛି। ସୂର୍ଯ୍ୟାଂଶ ୨୦ ଲକ୍ଷ ଟଙ୍କା ବିନିମୟରେ ଲକ୍ଷ୍ନୌ ଦଳରେ ଯୋଗ ଦେଇଛନ୍ତି। ୨୫ ବର୍ଷରୁ କମ୍‌ ରାଜ୍ୟ ଏ’ ଟ୍ରଫିରେ ୮ଟି ଗେମ୍‌ରେ ସେ ୧୮୪ ରନ ସଂଗ୍ରହ କରିବା ସହ ୧୨ ଉଇକେଟ ନେବା ପରେ ୨୦ ବର୍ଷୀୟ ଶେଜ୍‌ଙ୍କୁ ଗତ ସିଜନରେ ମୁମ୍ବାଇର ୧୭ ଜଣିଆ ରଣଜୀ ଦଳରେ ସ୍ଥାନ ମିଳିଥିଲା। ଗତ ମେ’ ୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚର ଦ୍ୱିତୀୟ ଓଭରରେ ଆଉଟ ଫିଲ୍ଡରେ ଏକ ବଲ୍‌କୁ ପିଛା କରୁଥିବା ବେଳେ ଲକ୍ଷ୍ନୌ ଦଳର ନିୟମିତ ଅଧିନାୟକ କେ.ଏଲ୍‌. ରାହୁଲଙ୍କର ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ଠିକ୍‌ ସେହିଦିନ ଉନାଡକଟ ଆଘାତପ୍ରାପ୍ତ ହୋଇଥିଲେ। ଦ୍ୱିତୀୟ ଆଇପିଏଲ୍‌ ଖେଳୁଥିବା ସୁପର ଜାଏଣ୍ଟ୍ସ ବର୍ତ୍ତମାନ ୧୩ଟି ମ୍ୟାଚରୁ ୧୫ ପଏଣ୍ଟ ସହ ଷ୍ଟାଣ୍ଡିଂରେ ତୃତୀୟ ସ୍ଥାନରେ ଅଛି। ଏହି ଦଳ ଏ ପର୍ଯ୍ୟନ୍ତ ୭ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୫ଟିରେ ପରାଜିତ ହୋଇଛି। ଦଳର ପ୍ଲେଅଫ୍‌ ପାଇଁ ସମ୍ଭାବନା ସୃଷ୍ଟି କରିବାକୁ ହେଲେ ଶନିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ଜିତିବା ନିହାତି ଆବଶ୍ୟକ।

Share