ନୂଆଦିଲ୍ଲୀ, ୯।୧୧: ଟିମ ଇଣ୍ଡିଆକୁ T20 ବିଶ୍ୱକପ ୨୦୨୬ରେ ବିଶ୍ୱବିଜେତା କରାଇଥିବା ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏସନ (MCA) ନଭେମ୍ବର ୯ ତାରିଖରେ ସୈୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬ ପାଇଁ ଦଳ ଘୋଷଣା କରିଛି। ଏଥିରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମିଳିଛି। ଏହି ଟୁର୍ନାମେଣ୍ଟ ଜରିଆରେ ସେ ପ୍ରତିଯୋଗିତାମୂଳକ କ୍ରିକେଟକୁ ମଧ୍ୟ ଫେରିବେ। ଦୀର୍ଘଦିନ ଧରି ସୂର୍ଯ୍ୟକୁମାର କ୍ରିକେଟ ପଡ଼ିଆରୁ ଦୂରେଇ ରହିଛନ୍ତି। ଶେଷ ଥର ପାଇଁ ସେ IPL ୨୦୨୬ରେ ଖେଳୁଥିବା ନଜର ଆସିଥିଲେ। ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ୮ ମାର୍ଚ୍ଚ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷ T20 ବିଶ୍ୱକପ୍ର ଫାଇନାଲ ମ୍ୟାଚରେ ସେ ଶେଷ ଥର ପାଇଁ ଖେଳିଥିଲେ।
ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଚଳିତ ବର୍ଷ T20 ବିଶ୍ୱକପ ୨୦୨୬ ଟାଇଟଲ ଜିତିଥିଲା। ତେବେ ଖରାପ ଫର୍ମ ଯୋଗୁ ତାଙ୍କୁ ଜାତୀୟ ଦଳରୁ ବାଦ ପଡ଼ିବାକୁ ପଡ଼ିଥିଲା। ଏବେ ମୁମ୍ବାଇ ଦଳର ଅଧିନାୟକ ଦାୟିତ୍ୱ ମିଳିବା ପରେ ପଡ଼ିଆକୁ ଫେରି ନିଜ ଫର୍ମ ହାସଲ କରିବା ପାଇଁ ତାଙ୍କ ପାଖରେ ଏକ ଭଲ ସୁଯୋଗ ରହିଛି। ଅଧିନାୟକ ନିଯୁକ୍ତ ହେବା ପରେ ସୂର୍ଯ୍ୟକୁମାର କହିଛନ୍ତି ଯେ, ମୁମ୍ବାଇର ପ୍ରତିନିଧିତ୍ୱ କରିବା ସବୁବେଳେ ଗର୍ବର ବିଷୟ। ଦଳରେ ଅଭିଜ୍ଞ ଖେଳାଳିଙ୍କ ସହ ପ୍ରତିଭାବାନ ଯୁବ ଖେଳାଳିଙ୍କ ଭଲ ସମନୱୟ ରହିଛି। ପୂରା ଦଳ ଏକଜୁଟ ହୋଇ ଖେଳିବା ସହ ପ୍ରତ୍ୟେକ ମ୍ୟାଚରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି। ଟାଇଟଲ ଜିତି ଏହାକୁ ଘରକୁ ଆଣିବା ହିଁ ଆମର ଲକ୍ଷ୍ୟ।
ମୁମ୍ବାଇ ଦଳରେ ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଭାରତୀୟ T20I ଦଳର ନିୟମିତ ସଦସ୍ୟ ଶିବମ ଦୁବେ ମଧ୍ୟ ସ୍ଥାନ ପାଇଛନ୍ତି। ଏହା ସହ ମ୍ୟାକ୍ସୱେଲ ସ୍ବାମୀନାଥନ, ହାର୍ଦ୍ଦିକ ତାମୋରେ, ଅଙ୍ଗକ୍ରିଶ ରଘୁବଂଶୀ, ସରଫରାଜ ଖାନ, ଶାର୍ଦ୍ଦୁଳ ଠାକୁର ଏବଂ ତୁଷାର ଦେଶପାଣ୍ଡେଙ୍କ ଭଳି ଖେଳାଳି ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ନଭେମ୍ବର ୧୪ ତାରିଖରେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରୁ ମୁମ୍ବାଇ ନିଜର ଅଭିଯାନ ଆରମ୍ଭ କରିବ।