କେନ୍ଦ୍ର, ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଦେହଜୀବୀଙ୍କୁ ଆର୍ଥିକ ସହାୟତା ଦିଅ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଦେହଜୀବୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବା ସହ ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସହାୟତା ଦେବା ବେଳେ କୌଣସି ରାଶନକାର୍ଡ କିମ୍ବା ଅନ୍ୟ ପ୍ରମାଣ ପତ୍ର ମଗାଯାଇ ପାରିବ ନାହିଁ। କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ କ୍ଷମତା ବଳରେ ଦେହଜୀବୀଙ୍କୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସହାୟତା କରିପାରିବେ। ଏହା ଅତ୍ୟନ୍ତ ଜରୁରିକାଳୀନ ଭାବେ କରାଯିବା ଦରକାର ବୋଲି ଏ.ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। କୌଣସି ସହାୟତାକୁ ଅପେକ୍ଷା ନ କରି କେନ୍ଦ୍ର ଓ ରାଜ୍ୟ ସରକାର ସହାୟତାର ହାତ ବଢାଇବା ଦରକାର ବୋଲି କହିଛନ୍ତି। ତେବେ କେବଳ ଯେଉଁମାନେ ସହାୟତା ପାଇଁ ଆସିବେ ସେମାନଙ୍କୁ ସହାୟତା ନ କରି ସମସ୍ତ ଅସହାୟଙ୍କ ନିକଟରେ ଯେପରି ସହାୟତା ପହଞ୍ଚି ପାରିବ ସେ ନେଇ ପଦକ୍ଷେପ ନେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।