ଲୋଇସିଂହା ବିଧାୟକଙ୍କ ସସ୍‌ପେଣ୍ଡ ପ୍ରତିବାଦରେ ସମର୍ଥକଙ୍କ ରାସ୍ତାରୋକୋ

ଲୋଇସିଂହା,୨୯।୯(ସୁଶାନ୍ତ ବାରିକ): ଚଳିତ ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍‌ପେଣ୍ଡ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏଭଳି କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ ଶୁକ୍ରବାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଲୋଇସିଂହା ଥାନା ନିକଟରେ ବଲାଙ୍ଗୀର-ବରଗଡ଼ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରଯାଇଥିଲା।

ମଣ୍ଡଳ ସଭାପତି ସରୋଜ ସାହୁଙ୍କ ନେତୃତ୍ୱରେ ଭାଜପା କର୍ମୀ ରାସ୍ତାରେ ବସି ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ କର୍ମୀଙ୍କୁ ବୁଝାଶୁଝା କରିଥିଲା। ହେଲେ ସେମାନେ ରାସ୍ତାରୁ ହଟି ନ ଥିଲେ। ଫଳରେ ବ୍ୟସ୍ତ ବହୁଳ ରାଜ ପଥର ଉଭୟ ପାର୍ଶରେ ବହୁ ସଂଖ୍ୟକ ଯାନବାହନ ଅଟକି ରହିଥିଲା। ଏନେଇ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ। ଅପରାହ୍ନରେ ରାସ୍ତା ରୋକୋ ହଟିବାରୁ ଯାତାୟତ ସ୍ବାଭାବିକ ହୋଇଥିଲା। ପରେ ଭାଜପା କର୍ମୀ ଥାନାକୁ ଯାଇ ଆଦେଶ ପ୍ରତ୍ୟାହାର ପାଇଁ ଆଇଆଇସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।