ମାକ୍‌ରଁଙ୍କୁ ସମର୍ଥନ

ଫ୍ରାନ୍ସର ନିସ୍‌ରେ ଗତ ସପ୍ତାହରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ମହିଳାଙ୍କ ମୁଣ୍ଡକାଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଅନେକ ଆହତ ହୋଇଥିଲେ। ଏହାର ଦୁଇ ସପ୍ତାହ ପୂର୍ବରୁ ପ୍ୟାରିସ୍‌ ସହରତଳି ଅଞ୍ଚଳରେ ଜଣେ ଶିକ୍ଷକ ସାମୁଏଲ ପାତିଙ୍କ ମୁଣ୍ଡ କାଟି ଦିଆଯାଇଥିଲା। ପୃଥକ୍‌ ଘଟଣାରେ ବର୍ବରୋଚିତ କାର୍ଯ୍ୟ କରିଥିବା ଦୁଇ ମୁସଲମାନ ଯୁବକ ହେଉଛନ୍ତି ଫ୍ରାନ୍ସର ଶରଣାର୍ଥୀ। ବିଶ୍ୱ ଜନସଂଖ୍ୟା ଦେଖିଲେ ଖ୍ରୀଷ୍ଟିଆନ୍‌ଙ୍କ ପରେ ଦ୍ୱିତୀୟରେ ଅଛନ୍ତି ମୁସ୍‌ଲମାନ। କିନ୍ତୁ ଅନେକ ମୁସଲିମ୍‌ ରାଷ୍ଟ୍ରର ନାଗରିକ ଗଣତନ୍ତ୍ରକୁ ଏବେ ମଧ୍ୟ ଅପେକ୍ଷା କରି ରହିଛନ୍ତି। ଅର୍ଥାତ୍‌ ସାମରିକ ଶାସନ ବା ଏକଚ୍ଛତ୍ରବାଦ ଚିନ୍ତାଧାରା ଦ୍ୱାରା କବଳିତ ଏହି ଦେଶର କେତେକ ନାଗରିକଙ୍କୁ ଧର୍ମର ଦ୍ୱାହି ଦେଇ ଏଭଳି ମାନସିକ ସ୍ଥିତିରେ ରଖାଯାଇଛି, ଯେଉଁଥିରେ ସେମାନେ ଅସହିଷ୍ଣୁ ହୋଇପଡ଼ୁଛନ୍ତି।
ନିକଟରେ ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ହେବା ପଛରେ ଶାର୍ଲି ଏବ୍‌ଦୋ କାର୍ଟୁନ୍‌ ମାଗାଜିନ୍‌ରେ ପ୍ରଫେଟ ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ପୁନଃପ୍ରକାଶ ପାଇବା ସହ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡେଗାନ୍‌ ସ୍ଥାନ ପାଇଥିବା କାରଣକୁ ଧରାଯାଉଛି। ଏଠାରେ ମନେପଡ଼େ ମହମ୍ମଦଙ୍କ ବ୍ୟଙ୍ଗଚିତ୍ର ଉକ୍ତ ପତ୍ରିକାରେ ପ୍ରକାଶ ପାଇବା ପରେ ୭ ଜାନୁୟାରୀ ୨୦୧୫ରେ ଆଲ୍‌ଜେରିଆ ବଂଶୋଦ୍ଭବ ଫ୍ରାନ୍ସ ନାଗରିକ ଭ୍ରାତାଦ୍ୱୟ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ସମ୍ପାଦକଙ୍କ ସହ ୧୨ ଜଣଙ୍କୁ ହତ୍ୟା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମୁସଲମାନ ଧର୍ମରେ ମହମ୍ମଦ ବା ଆଲ୍ଲାଙ୍କ କୌଣସି ପ୍ରକାର ଚିତ୍ର ବା ପ୍ରତିମୂର୍ତ୍ତି ସୃଷ୍ଟି କରିବା ଶକ୍ତ ଭାବେ ବାରଣ ରହିଛି। ତାହା କରିଥିବା ବ୍ୟକ୍ତିଙ୍କୁ ଅଧର୍ମୀ ଓ ଆଲ୍ଲାଙ୍କ ବିରୋଧୀ ଭାବେ ଗଣନା କରାଯାଏ। ଏବଂ ସେହି ଅସହିଷ୍ଣୁତା ଏଭଳି କାର୍ଯ୍ୟକୁ ହତ୍ୟାରେ ପରିଣତ କରିବା ପାଇଁ ଖୋରାକ ଯୋଗାଇଥାଏ। ଭଦ୍ର ସମାଜରେ ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ହେବା କଥା। ଇସ୍‌ଲାମୀୟ ଜେହାଦୀ ବା ମୌଳବାଦୀଙ୍କ ବିଶ୍ୱବ୍ୟାପୀ କାର୍ଯ୍ୟକଳାପ ପାଇଁ ପ୍ରାୟ ସବୁ ଦେଶରେ ସମସ୍ୟା ସୃଷ୍ଟି ହେଉଛି। ପ୍ରାନ୍ସରେ ଘଟିଥିବା ଏହି ଦୁଇ ଆକ୍ରମଣ ପରେ ସେଠାକାର ଇମାନ୍ବେଲ୍‌ ମାକ୍‌ରଁଙ୍କ ସରକାର ବାକ୍‌ ସ୍ବାଧୀନତା ସପକ୍ଷରେ ଅନେକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ଅନ୍ୟତମ ହେଲା ସର୍ବସାଧାରଣ ସ୍ଥାନ ଯଥା- ରାସ୍ତାଘାଟ କିମ୍ବା ପାର୍କରେ ମୁସଲମାନମାନେ ନମାଜ ପଢ଼ିବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ସମେତ ଅନେକ ରାଷ୍ଟ୍ର ମାକ୍‌ରଁଙ୍କ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି। କିନ୍ତୁ ସବୁଠାରୁ ଅଧିକ ଉଲ୍ଲେଖନୀୟ ବିଷୟ ହେଲା ଯେ, ସାଉଦି ଆରବ ମଧ୍ୟ ଫ୍ରାନ୍ସ ସରକାରଙ୍କ ପଦକ୍ଷେପକୁ ସମର୍ଥନ ଜଣାଇଛି। ସମ୍ଭବତଃ ଏହା ଇତିହାସରେ ପ୍ରଥମ ଥର ପାଇଁ ସାଉଦି ସରକାରଙ୍କର ସଭ୍ୟ ସମାଜ ପ୍ରତି ସକାରାତ୍ମକ ସମର୍ଥନର ଦୃଷ୍ଟାନ୍ତ ସୃଷ୍ଟି କରିଛି। ଅନ୍ୟପଟେ ଭାରତର ଅଳ୍ପକେତେକ ସ୍ଥାନରେ ବିଶେଷକରି ମୁମ୍ବାଇରେ ମୁସଲ୍‌ମାନ ସମ୍ପ୍ରଦାୟର କିଛି ଲୋକ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ଶୋଭାଯାତ୍ରା ବାହାରକରି ନିଜର ମୌଳବାଦୀ ଚିନ୍ତାଧାରାକୁ ଜାହିର କରିବାକୁ ଚେଷ୍ଟା କରିଛନ୍ତି। ଦୁଃଖର ବିଷୟ ହେଉଛି ଯେ, ଭାରତର ଶିକ୍ଷିତ ମୁସଲମାନ ନାଗରିକମାନେ ଫ୍ରାନ୍ସରେ ଘଟିଥିବା ହତ୍ୟାକୁ କୌଣସି ଭାବେ ଖୋଲାଖୋଲି ନିନ୍ଦା କରୁନାହାନ୍ତି। ଏହିଭଳି ନୀରବତା ମୌଳବାଦୀମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ଦେବା ସହିତ ଭାରତରେ ଲାଗିରହିଥିବା ହିନ୍ଦୁ-ମୁସଲମାନ ତିକ୍ତତାକୁ ବୃଦ୍ଧି କରାଉଛି। ପୂର୍ବରୁ ଏହି ସ୍ତମ୍ଭରେ ଲେଖିଆସିଛୁ ଯେ, ଯେତେବେଳେ ବି ମୁସଲ୍‌ମାନ ସମ୍ପ୍ରଦାୟର ସମ୍ପୃକ୍ତିରେ ଆତଙ୍କବାଦୀ ଆକ୍ରମଣ ଘଟିଛି, ସେତେବେଳେ ଭାରତୀୟ ମୁସଲମାନ ସମାଜ ସେଭଳି କାର୍ଯ୍ୟକୁ ବିରୋଧପୂର୍ବକ ସ୍ବର ଉତ୍ତୋଳନ କରି ନ ଥିବା ହେତୁ ସାମ୍ପ୍ରଦାୟିକ ଚିନ୍ତାଧାରାକୁ ଖୋରାକ ଯୋଗାଇଛି। ଆଜି ମଧ୍ୟ ସେହି ମୁସଲ୍‌ମାନ ଶିକ୍ଷିତ ସମାଜ ଫ୍ରାନ୍ସ ଘଟଣାରେ ନୀରବ ରହିବା ଯୋଗୁ ଏକ ତ୍ରୁଟିପୂର୍ଣ୍ଣ ବାର୍ତ୍ତା ଦେଲାଭଳି ମନେହେଉଛି। ଗୋଟାଏପଟେ ଧର୍ମ ଓ ଅନ୍ୟପଟେ ହିଂସା କେବେ ହେଲେ ନିକିତିରେ ତଉଲି ହୁଏ ନାହିଁ। କୌଣସି ମଣିଷର ମୁଣ୍ଡ କାଟିବାର ଅଧିକାର କାହାର ନାହିଁ। ଏପରିକି ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ବିରୋଧରେ ଅଭିଯାନ ଚାଲିଛି, ଯେଉଁଥିରେ ସରକାର ଏବଂ ନ୍ୟାୟାଳୟର ନିଷ୍ପତ୍ତିକୁ ମଧ୍ୟ ବିରୋଧ କରାଯାଉଛି। ପୂର୍ବରୁ କୁହାଯାଉଥିଲା ଯେ ଜେହାଦୀ ବା ମୌଳବାଦୀମାନେ ଅଳ୍ପସଂଖ୍ୟକ ଓ ଅଧିକାଂଶ ମୁସଲମାନ ସେମାନଙ୍କୁ ସମର୍ଥନ କରନ୍ତି ନାହିଁ। କିନ୍ତୁ ଫ୍ରାନ୍ସ ଘଟଣାରେ ଯେଉଁଭଳି ଅନ୍ତର୍ଜାତୀୟ ସ୍ତରରେ ହତ୍ୟାକାରୀଙ୍କ ସପକ୍ଷରେ ମତ ସୃଷ୍ଟି ହେଉଛି, ସେଥିରୁ ଧାରଣା ଜନ୍ମିପାରେ ଯେ ପୃଥିବୀବ୍ୟାପୀ ସମଗ୍ର ମୁସଲମାନ ସମ୍ପ୍ରଦାୟ ଏହିଭଳି ଆତଙ୍କବାଦକୁ ପୁନର୍ଜନ୍ମ ଦେବାରେ ସମର୍ଥନ କରୁଛି।
ଶାର୍ଲି ଏବ୍‌ଦୋରେ ବ୍ୟଙ୍ଗଚିତ୍ର ପ୍ରକାଶ ପାଇବା ପରେ ଫ୍ରାନ୍ସ ସମେତ ନାଇଜେରିଆ, ଇଣ୍ଡୋନେସିଆ, ପାକିସ୍ତାନ, ଇରାନ୍‌, ଚେଚେନ୍ୟା ଓ ୟେମେନ୍‌ରେ ମୁସଲମାନମାନେ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଛନ୍ତି। ଅନେକ ସ୍ଥାନରେ ଇମାନ୍ବେଲଙ୍କ ଫଟୋକୁ ରାସ୍ତାରେ ଲଗାଇ ତା’ ଉପରେ ଗାଡ଼ି ଚଢ଼ାଯାଇଛି। ଏଭଳି କାର୍ଯ୍ୟ କରିଥିବା ଲୋକଙ୍କ ପାଇଁ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି ନୂ୍ୟନ ମନେ ହୋଇଛନ୍ତି। ଏଠାରେ କହିବା ଠିକ୍‌ ହେବ ଯେ, ଆତଙ୍କବାଦୀଙ୍କ କୌଣସି ଧର୍ମ ବା ଜାତି ନ ଥାଏ। କିନ୍ତୁ ଯେଉଁଭଳି ଭାବେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଓ ଅଲ୍‌-କାଏଦା ଭଳି କୁଖ୍ୟାତ ସଙ୍ଗଠନ ଇସ୍‌ଲାମୀୟ ଆତଙ୍କବାଦ କରିଆସୁଛନ୍ତି, ତାହା ଦ୍ୱାରା ଅନେକ ଲୋକଙ୍କ ପ୍ରାଣହାନି ଘଟୁଛି। ଏହା କଦାପି ଗ୍ରହଣୀୟ ନୁହେଁ। ଜେହାଦମାନେ ଯେକୌଣସି ଏକ ପ୍ରସଙ୍ଗକୁ ନେଇ ହିଂସା ଘଟାଉଥିବାରୁ ଅରାଜକତା ସୃଷ୍ଟି ହେଉଛି। ଏସବୁକୁ ଲକ୍ଷ୍ୟ କରି ମାକ୍‌ରଁ ଇସ୍‌ଲାମ ଏବେ ସଙ୍କଟ ଦେଇ ଗତି କରୁଛି ବୋଲି କହିବାପରେ ତାଙ୍କୁ ବିରୋଧ କରାଯାଉଛି। ଆମେ ଭାରତରେ ସାଧାରଣତଃ ବୁଝିପାରୁ ନାହୁଁ ଯେ ଏଭଳି ମୌଳବାଦୀ ଚିନ୍ତାଧାରା ପୋଷଣ କରୁଥିବା ଦେଶମାନେ ପରସ୍ପର ବିରୋଧରେ କାହିଁକି ଲଢ଼ନ୍ତି। ଯଥା- ଇରାକ ଓ ଇରାନ ମଧ୍ୟରେ ଯୁଦ୍ଧ କାହିଁକି ହୁଏ। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଇରାନ ଶିୟାବହୁଳ ଦେଶ ହୋଇଥିବା ବେଳେ ଇରାକ ହେଉଛି ଏକ ସୁନ୍ନିବହୁଳ ଦେଶ। ହିନ୍ଦୁ ଧର୍ମରେ ଉପର ଜାତି ଯେଉଁଭଳି ଭାବେ ଦଳିତମାନଙ୍କୁ ହତ୍ୟା, ବଳାତ୍କାର ଏବଂ ଅତ୍ୟାଚାର କରିଥାନ୍ତି, ସେହିଭଳି ସୁନ୍ନିମାନେ ମଧ୍ୟ ଶିୟାମାନଙ୍କୁ କଠୋର ନିର୍ଯାତନା ଦେଇଥାଆନ୍ତି। ମୁସଲମାନ ଧର୍ମର ଏହି ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଐତିହାସିକ ରୂପେ ଜଣାଶୁଣା।
ଆଜିର ଯୁଗରେ ବାକ୍‌ ସ୍ବାଧୀନତାକୁ ଗୁରୁତ୍ୱ ଦିଆଯାଉଛି। ଏଠାରେ ମାକ୍‌ରଁଙ୍କ କଥା ବିଶ୍ୱବ୍ୟାପୀ ଗ୍ରହଣୀୟ ହେବାକଥା। କାରଣ ଆତଙ୍କବାଦ ବିରୋଧରେ ସେ ଯେଉଁ ଡାକରା ଦେଇଛନ୍ତି, ତାହାକୁ ମୁସଲିମ୍‌ ରାଷ୍ଟ୍ରଗୁଡ଼ିକ ଆତ୍ମସମୀକ୍ଷା ନ କରି ପ୍ରତିବାଦ କଲେ ଜେହାଦୀ କାର୍ଯ୍ୟକାଳପ ବଢ଼ିଚାଲିବ। କେବଳ ମୁସ୍‌ଲମାନ ନୁହନ୍ତି, ଅନ୍ୟାନ୍ୟ ଧର୍ମରେ ଥିବା ସଂକୀର୍ଣ୍ଣତା ମଧ୍ୟ ଦୂର ହେବା ଦରକାର। ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ବାକ୍‌ ସ୍ବାଧୀନତା ସଙ୍କୁଚିତ ହେଲେ ତାହା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ। ଅତଏବ ଯେଉଁମାନେ କେବଳ ନିଜ ଧର୍ମକୁ ଲକ୍ଷ୍ୟ କରି ପ୍ରତିହିଂସାପରାୟଣ ହୋଇଯିବେ ସେମାନେ ନିଜର କ୍ଷତି କରିଚାଲିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri