Categories: ଖେଳ

ଅଦେନ ମାର୍‌କ୍ରମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ହାଇଦ୍ରାବାଦ

ଲକ୍ଷ୍ନୌ,୭।୪: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୦ମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ ଖେଳାଯିବ। ଅନ୍ୟପକ୍ଷେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ହାଇଦ୍ରାବାଦ ଶୁକ୍ରବାର ନୂଆ ଅଧିନାୟକ ଅଦେନ ମାର୍‌କ୍ରମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ମ୍ୟାଚ୍‌ରେ ଅଦେନଙ୍କ ଅନୁପସ୍ଥିତିରେ ଭୁବନେଶ୍ବର କୁମାର ଦଳର ନେତୃତ୍ୱ ନେଇଥିଲେ। ହେଲେ ରାଜସ୍ଥାନ ବିପକ୍ଷରେ ଦଳ ୭୨ ରନ୍‌ର ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲା।

ଅଦେନଙ୍କ ସହ ଅନ୍ୟ ଦୁଇ ଦକ୍ଷିଣ ଆଫ୍ରିକୀୟ ଖେଳାଳି ମାର୍କୋ ଜନସେନ ଓ ହେନରିକ କ୍ଲାସେ ମଧ୍ୟ ଦଳକୁ ଫେରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ରେ ହାଇଦ୍ରାବାଦ ଶେଷ ଏବଂ ଗତବର୍ଷ ଅଷ୍ଟମ ସ୍ଥାନରେ ରହିଥିଲା। ହେଲେ ଚଳିତ ଆଇପିଏଲ୍‌ ସିଜନରେ ହାଇଦ୍ରାବାଦ ଅଦେନଙ୍କ ନେତୃତ୍ୱରେ କଡ଼ା ମୁକାବିଲା କରିବାକୁ ଆଶା ରଖିଛି।

କେଏଲ୍‌ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୨ ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସଂଘର୍ଷ କରି ୧୨ ରନ୍‌ରେ ହାରିଥିଲା। ରାହୁଲଙ୍କ ଆରମ୍ଭ ଭଲ ହୋଇ ନ ଥିଲେ ମଧ୍ୟ କାଇଲ ମେୟର୍ସ ଦୁଇଟି ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି।

Share