ନୂଆଦିଲ୍ଲୀ, ୧୨।୧୧: କାବ୍ୟା ମାରାନଙ୍କୁ କିଏ ବା ନ ଜାଣେ! ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ହେବା ସହ ଦେଶର ବଡ଼ ମିଡିଆ ଗ୍ରୁପ ସନ ଟିଭି ନେଟୱର୍କସ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ମଧ୍ୟ ଅଟନ୍ତି ସେ। ତାଙ୍କ ପିତା କଲାନିଧି ମାରାନ ଦେଶର ଅନ୍ୟତମ ଧନୀ ବ୍ୟକ୍ତି ଭାବେ ପରିଚିତ। ଏବେ ମାରାନ ପରିବାରରେ ଖୁସିର ମାହୋଲ ରହିଛି। ନଭେମ୍ବର ୧୧ ତାରିଖରେ ଗ୍ରୀସ୍ରେ କାବ୍ୟା ମାରାନଙ୍କ ବିବାହ ହୋଇଛି। ଅନ୍ୟପଟେ ଭାରତୀୟ ଷ୍ଟକ ମାର୍କେଟ ମଧ୍ୟ ତାଙ୍କୁ ୫୮୫ କୋଟି ଟଙ୍କାର ‘ଉପହାର’ ଦେଇଛି। ଏହା କୌଣସି ଛୋଟମୋଟ ଉପହାର ନୁହେଁ। ବାସ୍ତବରେ କାବ୍ୟାଙ୍କ କମ୍ପାନୀ ସନ ଟିଭି ନେଟୱର୍କସ୍ର ଶେୟାର ମୂଲ୍ୟରେ ପ୍ରାୟ ୨.୫୦ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ କମ୍ପାନୀର ବଜାର ମୂଲ୍ୟରେ ୫୮୫ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଆସନ୍ତୁ ଜାଣିବା ଷ୍ଟକ ମାର୍କେଟରେ କିଭଳି ରହିଛି କମ୍ପାନୀର ସ୍ଥିତି।
କାବ୍ୟା ମାରାନଙ୍କ କମ୍ପାନୀ ସନ ଟିଭି ନେଟୱକସ୍ର ଶେୟାର ମୂଲ୍ୟରେ କାରବାର ସମୟରେ ୨.୫୧ ପ୍ରତିଶତ ବୃଦ୍ଧି ଘଟିଥିଲା। ଏହା ୬୬୮.୪୦ ଟଙ୍କାରେ ପହଞ୍ଚି ଦିନର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ତେବେ କମ୍ପାନୀର ଶେୟାର ମୂଲ୍ୟ ସାମାନ୍ୟ ହ୍ରାସ ସହ ୬୫୨ ଟଙ୍କାରେ ଖୋଲିଥିଲା। ବୁଧବାର କାରବାର ଶେଷରେ କମ୍ପାନୀର ଶେୟାର ମୂଲ୍ୟ ୬୫୩.୫୫ ଟଙ୍କାରେ ବନ୍ଦ ହୋଇଥିଲା।
ଗୁରୁବାର ଅପରାହ୍ଣ ୧୨ଟା ୫୦ ମିନିଟ ସୁଦ୍ଧା କମ୍ପାନୀର ଶେୟାର ୧.୬୦ ପ୍ରତିଶତ ବୃଦ୍ଧି ସହ ୬୬୩.୯୫ ଟଙ୍କାରେ କାରବାର କରୁଥିଲା। ବଜାର ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ କମ୍ପାନୀର ସେୟାର ମୂଲ୍ୟରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ।
ଶେୟାର ମୂଲ୍ୟରେ ଏହି ବୃଦ୍ଧି ଯୋଗୁ କମ୍ପାନୀର ବଜାର ମୂଲ୍ୟ ୫୮୫ କୋଟି ଟଙ୍କାରୁ ଅଧିକ ବଢ଼ିଛି। ତଥ୍ୟ ଅନୁଯାୟୀ, ବୁଧବାର ଷ୍ଟକ ମାର୍କେଟ ବନ୍ଦ ହେବା ସମୟରେ ସନ ଟିଭି ନେଟୱର୍କସ୍ର ବଜାର ମୂଲ୍ୟ ୨୫,୭୫୫.୪୦ କୋଟି ଟଙ୍କା ଥିଲା। ଗୁରୁବାର କମ୍ପାନୀର ଶେୟାର ଦିନର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଏହାର ବଜାର ମୂଲ୍ୟ ୨୬,୩୪୦.୬୨ କୋଟି ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ କମ୍ପାନୀର ବଜାର ମୂଲ୍ୟରେ ୫୮୫.୨୨ କୋଟି ଟଙ୍କାର ବୃଦ୍ଧି ଘଟିଛି।
ଅନ୍ୟପଟେ ଭାରତୀୟ ଷ୍ଟକ ମାର୍କେଟ ଉପରେ କିଛିଟା ଚାପ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ଣ ୧୨ଟା ୫୦ ମିନିଟ ସୁଦ୍ଧା ବିଏସଇର ପ୍ରମୁଖ ସୂଚକାଙ୍କ ସେନ୍ସେକ୍ସ ୭ ପଏଣ୍ଟ ବୃଦ୍ଧି ସହ ୮୧,୮୮୬.୬୪ ପଏଣ୍ଟରେ କାରବାର କରୁଥିଲା। ତେବେ କାରବାର ସମୟରେ ସେନ୍ସେକ୍ସ ୪୪୬.୨୧ ପଏଣ୍ଟ ବୃଦ୍ଧି ପାଇ ୮୨,୩୨୫.୬୧ ପଏଣ୍ଟରେ ଦିନର ସର୍ବୋଚ୍ଚ ସ୍ତର ଛୁଇଁଥିଲା।