୧୨ ଆଇକନିକ୍‌ ସ୍ଥାନ ମଧ୍ୟରେ ସୂର୍ଯ୍ୟମନ୍ଦିର

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ସ୍ବଚ୍ଛ ଭାରତ ସ୍ବତନ୍ତ୍ର ସଫେଇ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥାନ ପାଇଛି। ମଙ୍ଗଳବାର କେନ୍ଦ୍ର ସରକାର ଦେଶର ୧୨ଟି ଆଇକନିକ ସ୍ଥାନର ନାମ ପ୍ରକାଶ କରିଛି। ଏଥିମଧ୍ୟରେ ଓଡ଼ିଶାର ସୂର୍ଯ୍ୟମନ୍ଦିର ରହିଥିବାବେଳେ ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫା, ମଧ୍ୟପ୍ରଦେଶ ସାଞ୍ଚତ୍ ସ୍ତୂପ, ରାଜସ୍ଥାନର କୁମ୍ଭଲଗଡ଼ ଦୁର୍ଗ, ଜୈସାଲ୍‌ମେର୍‌ ଦୁର୍ଗ ଓ ରାମଡେବ୍ରା, ତେଲଙ୍ଗାନାର ଗୋଲ୍‌କୋଣ୍ଡା ଦୁର୍ଗ, ଚଣ୍ଡିଗଡ଼ର ରକ୍‌ ଗାର୍ଡେନ, ଜମ୍ମୁ-କଶ୍ମୀରର ଡାଏ ଲେକ୍‌, ଉତ୍ତରପ୍ରଦେଶର ବାଙ୍କେବିହାରୀ ମନ୍ଦିର ଓ ଆଗ୍ରା ଦୁର୍ଗ ଏବଂ ପଶ୍ଚିମବଙ୍ଗର କାଳିଘାଟ ମନ୍ଦିର ରହିଛି। ତେବେ ପୂର୍ବରୁ ଅର୍ଥାତ୍‌ ପ୍ରଥମ ପର୍ଯ୍ୟାୟ ତାଲିକାରେ ପୁରୀର ଜଗନ୍ନାଥ ମନ୍ଦିର ସ୍ଥାନ ପାଇଥିବାବେଳେ ଏବେ ସୂର୍ଯ୍ୟମନ୍ଦିରକୁ ତାଲିକାଭୁକ୍ତ କରାଯାଇଛି। ସ୍ବଚ୍ଛ ଭାରତ ମିଶନ ଅଧୀନରେ ଦେଶର ୧୦୦ଟି ପ୍ରତୀକାତ୍ମକ ଐତିହ୍ୟ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ସ୍ଥାନ ଉପରେ ପର୍ଯ୍ୟବସିତ ଏକ ସ୍ବତନ୍ତ୍ର ସଫେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଉଛି। ନଗର ଉନ୍ନୟନ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଏହାର ସଂଯୋଜନା କରିବ।