ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ ଆର୍ଦ୍ରତା (Humidity) ଯୋଗୁଁ ସ୍ଥିତି ଆହୁରି ସଂଘାତିକ ହୋଇଛି। ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ତାତିରୁ ରକ୍ଷା କରିବା ପାଇଁ ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ବଡ଼ ପରିବର୍ତ୍ତନ କରାଯାଇଛି।
ପୂର୍ୱ ନିର୍ଦ୍ଦେଶ ଅନୁଯାୟୀ ରଜ ପର୍ୱ ପରେ ସ୍କୁଲଗୁଡ଼ିକ ଖୋଲିବାର ଥିଲା, ମାତ୍ର ପାଣିପାଗର ପ୍ରତିକୂଳ ଅବସ୍ଥାକୁ ଦେଖି ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ସୁବର୍ଣ୍ଣପୁର (ସୋନପୁର) ଜିଲା ପରେ ଏବେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ସ୍କୁଲ ଛୁଟି ବଢ଼ାଇବାକୁ ବାଧ୍ୟ ହୋଇଛି।
ଅନୁଗୁଳ ଜିଲାପାଳଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ (ପ୍ରାଇଭେଟ) ସ୍କୁଲ ସମେତ କଲେଜଗୁଡ଼ିକ ଆସନ୍ତା ୨୦ ଜୁନ (ଶନିବାର) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଜୁନ ୨୧ ତାରିଖ ରବିବାର ପଡ଼ୁଥିବାରୁ, ଆସନ୍ତା ୨୨ ଜୁନ (ସୋମବାର) ଦିନ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସ୍ୱାଭାବିକ ଭାବେ ଖୋଲିବ।