କଲ୍ୟାଣସିଂହପୁର ,୧୯।୫ (ଦୀପକ କୁମାର ପରିଡା): କାଳବୈଶାଖୀର ପ୍ରଭାବରେ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରମିଳା ନାୟକଙ୍କ ଘରର ଛପର ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଥିବାରୁ ସେମାନଙ୍କ ପରିବାର ପଡ଼ୋଶୀ ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଶିକରପାଇ ଅଞ୍ଚଳରେ ହଠାତ୍ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିଥିଲା ଓ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଲକ୍ଷ୍ମୀନଗର ଗ୍ରାମର ପ୍ରମିଳା ନାୟକଙ୍କ ଘରର ଆଜବେଷ୍ଟସ୍ ଉଡ଼ିଯାଇଥିଲା।
ଘଟଣା ସମୟରେ ପରିବାରସଦସ୍ୟମାନେ ଘରଭିତରେ ଥିଲେ, କିନ୍ତୁ ଭାଗ୍ୟବଶତଃ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ ଛପର ଉଡ଼ିଯିବାରୁ ଘରଭିତରେ ଥିବା ଦୈନିକ ବ୍ୟବହାରର ସାମଗ୍ରୀ ବର୍ଷାଜଳରେ ଭିଜି ନଷ୍ଟ ହୋଇଯାଇଛି।
ପ୍ରମିଳାଙ୍କ ପରିବାର ଦିନମଜୁରିଆ ହୋଇଥିବାରୁ ଏଭଳି ବିପଦ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବର୍ତ୍ତମାନ ସେମାନେ ପଡ଼ୋଶୀଙ୍କ ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ଓ ଚିନ୍ତାରେ ଅଛନ୍ତି।
ସ୍ଥାନୀୟ ଲୋକମାନେ ତୁରନ୍ତ କ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ସହିତ ପକ୍କା ଘର ଯୋଗାଇଦେବାକୁ ଦାବି କରୁଛନ୍ତି।