Categories: ଖେଳ

କଳିଙ୍ଗରେ ସମର କ୍ୟାମ୍ପ ଉଦ୍‌ଯାପିତ

ଭୁବନେଶ୍ୱର,୨୩ା୫, (ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକାଧିକ କ୍ରୀଡ଼ାର ସମର କ୍ୟାମ୍ପ ସୋମବାର ଉଦ୍‌ଯାପିତ ହୋଇଛି। ମେ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପରେ ୫୦୦ରୁ ଅଧିକ ଶିଶୁ ଅଂଶଗ୍ରହଣ କରିଥିଲେ। ଫୁଟବଲ, ଆଥଲେଟିକ୍ସ, ଜୁଡୋ, ଭାରୋତ୍ତୋଳନ, ଭଲିବଲ୍‌, ବାସ୍କେଟ ବଲ୍‌, ଜିମ୍ନାଷ୍ଟିକ୍ସ ଓ କବାଡି ପରି ୮ଟି ବର୍ଗର ଖେଳରେ ଏହି ଶିଶୁ ମାନେ ଅଂଶଗ୍ରହଣ କରିଥିଲେ। ସ୍ପୋର୍ଟସ ହଷ୍ଟେଲର କୋଚ୍‌ ମାନେ ଯୁବ ଆଥଲେଟ ମାନଙ୍କ ପାଇଁ ମଜାଦାର ପ୍ରଶିକ୍ଷଣ ବ୍ୟବସ୍ଥା ଆପଣେଇ ଥିଲେ। ଶିଶୁ ମାନଙ୍କ ମଧ୍ୟରେ ଫିଟ୍‌ନେସ୍‌ ଓ ଜୀବନଶୈଳୀକୁ ନେଇ ସଚେତନତା ସୃଷ୍ଟି କରିବା ଏବଂ କ୍ରୀଡା ସହ ପରିଚିତ କରାଇବା ଏହି କ୍ୟାମ୍ପର ମୁଖ୍ୟ ଲକ୍ଷ୍ୟ ରହିଥିଲା। କେବଳ କଳିଙ୍ଗ ଷ୍ଟାଡିୟମ ନୁହେଁ ବରଂ ସମସ୍ତ ଜିଲାରେ ଥିବା ସ୍ପୋଟର୍‌ସ ହଷ୍ଟେଲରେ ଏହି କ୍ୟାମ୍ପ ଅନୁଷ୍ଠିତ ହୋଇଛି। ଏହି କ୍ୟାମ୍ପଙ୍କୁ ନେଇ କେବଳ ଶିଶୁ ନୁହନ୍ତି ବରଂ ଅଭିଭାବକ ମଧ୍ୟ ଖୁସି ଜାହିର କରିଛନ୍ତି। ୯ ବର୍ଷୀୟ ବାଳକର ମା ମମତା ପ୍ରିୟଦର୍ଶିନୀ ଏହି ସମର କ୍ୟାମ୍ପକୁ ବେଶ ପସନ୍ଦ କରିଛନ୍ତି। ଗତବର୍ଷ ତାଙ୍କ ପୁଅ ହକି ଖେଳରେ ନିଜକୁ ପଞ୍ଜୀକୃତ କରିଥିବା ବେଳେ ଚଳିତ ବର୍ଷ ବାସ୍କେଟବଲ ଖେଳ ପାଇଁ ନାମ ପଞ୍ଜୀକରଣ କରିଛି। ପ୍ରତିବର୍ଷ ଭିନ୍ନ ଭିନ୍ନ ଖେଳ ଶିଖିବାକୁ ମିଳୁଥିବାରୁ ଏହା ଶିଶୁଙ୍କ ପାଇଁ ବେଶ ଲାଭଦାୟକ ବୋଲି ସେ କହିଛନ୍ତି। ଅନ୍‌ଲାଇନରେ ପଞ୍ଜୀକରଣ ହେଉଥିବା ବେଳେ ସମସ୍ତଙ୍କ ବ୍ୟବହାର ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା ବୋଲି ସେ କହିଛନ୍ତି। ଶିଶୁ ମାନଙ୍କ ପାଇଁ ନୂତନ ଖେଳ ସମ୍ପର୍କିତ ଜ୍ଞାନ ଆହରଣ ପାଇଁ ଏହା ପ୍ରକୃଷ୍ଟ ସୁଯୋଗ ବୋଲି କହିଛନ୍ତି ଜୁଡୋ କୋଚ୍‌ ଗୀତାଞ୍ଜଳି ପଣ୍ଡା। ଜଣେ ପ୍ରଶିକ୍ଷକ ଭାବରେ ଅଧିକ ଶିଶୁଙ୍କୁ ଜୁଡୋ ପ୍ରତି ଆଗ୍ରହ ପ୍ରକାଶ କରୁଥିବାର ଦେଖି ଖୁସି ଲାଗୁଛି ବୋଲି ସେ କହିଛନ୍ତି। ଏହି ଖେଳ କେବଳ ଫିଟ୍‌ ରଖି ନଥାଏ ବରଂ ଏହା ଆତ୍ମରକ୍ଷା କୌଶଳ ଶିଖାଇଥାଏ ବୋଲି କହିଛନ୍ତି ଗୀତାଞ୍ଜଳି। ଫୁଟବଲ ପାଇଁ ପଞ୍ଜୀକରଣ କରିଥିବା ଶ୍ରେୟାନ ମହାନ୍ତି ଏଠାକାର ବ୍ୟବସ୍ଥାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଠିକାର ବ୍ୟବସ୍ଥା ଚମତ୍କାର ଥିବା ବେଳେ କୋଚ୍‌ ମାନେ ବେଶ ସହାୟତା କରିଥିଲେ। ଫୁଟବଲର ବେସିକ୍‌ ଡ୍ରିବଲିଂ, ଶୁଟିଂ ପରି ଟେକ୍‌ନିକ୍‌ ଶିଖିବାର ସୁଯୋଗ ମିଳିଥିବା ସେ କହିଛନ୍ତି।

Share