ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା ପଛରେ ଇଥାନଲ ଉତ୍ପାଦନ ପାଇଁ ଆଖୁ ବ୍ୟବହାରକୁ ଦାୟୀ କରାଯାଉଥିବା ବେଳେ, କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ କହିବା ଅନୁସାରେ, ଦେଶରେ ଚିନିର କୌଣସି ଅଭାବ ନାହିଁ। ତେବେ ଚିନି ଦର ବୃଦ୍ଧି ପଛରେ ଦୁଇଟି ପ୍ରମୁଖ କାରଣ ‘ରେଡ୍ ରଟ୍’ ରୋଗ ଓ ଏଲ୍ ନିନୋ ରହିଛି । କେନ୍ଦ୍ର ସରକାରଙ୍କ ଅନୁସାରେ, ଆଖୁ ଫସଲରେ ରେଡ୍ ରଟ୍ ରୋଗ ଏବଂ ଏଲ୍ ନିନୋ ଭଳି ପାଣିପାଗଜନିତ ପରିସ୍ଥିତି ଯୋଗୁଁ ଚିନି ଉତ୍ପାଦନ ପ୍ରଭାବିତ ହୋଇଛି । ଏହାର ପ୍ରଭାବ କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟ ଚିନି ଉତ୍ପାଦକ ଦେଶଗୁଡ଼ିକରେ ମଧ୍ୟ ପଡ଼ିଛି।
ଭାରତରେ ପ୍ରାୟ ୨୮୦ ଲକ୍ଷ ଟନ୍ ଚିନିର ଆବଶ୍ୟକତା ରହିଛି। ସରକାରଙ୍କ ଦାବି ଅନୁସାରେ, ଦେଶରେ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ଚିନି ଷ୍ଟକ୍ ରହିଛି। ତେଣୁ ଦୀର୍ଘ ସମୟ ଧରି ଚିନି ମହଙ୍ଗା ରହିବ ନାହିଁ ବୋଲି କେନ୍ଦ୍ର ଆଶ୍ୱସ୍ତ କରିଛି। ଇଥାନଲ ଉତ୍ପାଦନ ପାଇଁ ଆଖୁ ବ୍ୟବହାର ହେଉଥିବାରୁ ଚିନି ଉତ୍ପାଦନ କମିଛି ଏବଂ ଦର ବଢ଼ିଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ପ୍ରହ୍ଲାଦ ଯୋଶୀ ଖଣ୍ଡନ କରିଛନ୍ତି। ଚିନି ଦର ବଢ଼ିବାରେ ଇଥାନଲର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି। ପର୍ବ ସମୟରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ସହ ଖୁଚୁରା ଦର କମାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏହାର ଅଂଶ ଭାବେ କଚ୍ଚା ଚିନିର ଅସ୍ଥାୟୀ ଆମଦାନୀ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ଏଲ୍ ନିନୋର ପ୍ରଭାବରେ ଭାରତ ସମେତ ବିଶ୍ୱର ବିଭିନ୍ନ ଆଖୁ ଉତ୍ପାଦନକାରୀ ଦେଶରେ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ଫଳରେ ବିଶ୍ୱ ବଜାରରେ ଚିନି ଯୋଗାଣ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ତେବେ ଦେଶରେ ବର୍ତ୍ତମାନ ପର୍ଯ୍ୟାପ୍ତ ଷ୍ଟକ୍ ଥିବାରୁ ତୁରନ୍ତ ଚିନିର ଭାରୀ ଅଭାବ ହେବାର ଆଶଙ୍କା ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।