ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଛି। ଏହି କ୍ରମରେ ପୃଥିବୀରେ ମିଳୁଥିବା ‘ରାସବେରୀ’ ଫଳ ଏବଂ ସେଲ୍ଫ ଟ୍ୟାନିଂ କସ୍ମେଟିକ୍ସରେ ବ୍ୟବହୃତ ହେଉଥିବା ‘ଏରିଥ୍ରୁଲୋଜ୍’ ନାମକ ଏକ ପ୍ରକାର ଶର୍କରା (ସୁଗାର) ପ୍ରଥମ ଥର ପାଇଁ ମହାକାଶର ଶୂନ୍ୟସ୍ଥାନ (ଇଣ୍ଟରଷ୍ଟେଲାର ମିଡିୟମ)ରେ ପ୍ରତ୍ୟକ୍ଷ ଭାବେ ଚିହ୍ନଟ ହୋଇଛି। ‘ନେଚର ଆଷ୍ଟ୍ରୋନୋମି’ ପତ୍ରିକାରେ ପ୍ରକାଶିତ ଏକ ନୂତନ ଗବେଷଣାରୁ ଏହି ଆଶ୍ଚର୍ଯ୍ୟଜନକ ସୂଚନା ମିଳିଛି। ଜୀବନର ପ୍ରାଥମିକ ରୂପ ଡିଏନ୍ଏ ଏବଂ ଆର୍ଏନ୍ଏ ଗଠନ ପାଇଁ ଶର୍କରା ଅଣୁ ଅପରିହାର୍ଯ୍ୟ ହୋଇଥିବାରୁ ଏଥିରୁ ଜୀବନ ଉତ୍ପତ୍ତିର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରିବାକୁ ବୈଜ୍ଞାନିକମାନେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।
ସ୍ପେନ୍ର ନ୍ୟାଶନାଲ ରିସର୍ଚ୍ଚ କାଉନ୍ସିଲ ସମେତ ଅନ୍ୟ ଗବେଷକମାନେ ‘ମିଲ୍କି ୱେ(ଛାୟାପଥ)’ର କେନ୍ଦ୍ର ନିକଟରେ ଥିବା ‘ ଜି +୦.୬୩୯-୦.୦୨୭’ ନାମକ ଏକ ଆଣବିକ ମେଘମାଳାରେ ୪ଟି କାର୍ବନ ପରମାଣୁ ବିଶିଷ୍ଟ ଏହି ଶର୍କରା ଚିହ୍ନଟ କରିଛନ୍ତି। ସ୍ପେନ୍ରେ ଥିବା ଦୁଇଟି ଶକ୍ତିଶାଳୀ ରେଡିଓ ଟେଲିସ୍କୋପ ସାହାଯ୍ୟରେ ଏହି ସଫଳତା ମିଳିଛି। ମୁଖ୍ୟ ଗବେଷକ ଇଜାସ୍କୁନ୍ ଜିମେନେଜ ସେରା କହିଛନ୍ତି, ଏହି ଆବିଷ୍କାର ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା, କାରଣ ଏହା ମହାକାଶ ରସାୟନ ବିଜ୍ଞାନର ପ୍ରଚଳିତ ଧାରଣାକୁ ବଦଳାଇଦେଇଛି। ପୃଥିବୀର ପ୍ରାରମ୍ଭିକ ପରିବେଶରେ ଶର୍କରା ସହଜରେ ସୃଷ୍ଟିହୋଇପାରୁ ନ ଥିବାରୁ ଏହା କେଉଁଠୁ ଆସିଲା ତାହା ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ହୋଇଛି। ପୂର୍ବରୁ ଉଲ୍କା ପିଣ୍ଡରେ ରାଇବୋଜ୍ ଏବଂ ଗ୍ଲୁକୋଜ ମିଳିଥିଲେ ମଧ୍ୟ ମହାକାଶର ଶୂନ୍ୟସ୍ଥାନରେ ଏହା ପୂର୍ବରୁ କେବେ ପ୍ରତ୍ୟକ୍ଷ ଭାବେ କିଛି ମିଳି ନ ଥିଲା। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ, ଆଜକୁ ପ୍ରାୟ ୩୮୦ ରୁ ୪୧୦ କୋଟି ବର୍ଷ ପୂର୍ବେ ହୋଇଥିବା ଭୀଷଣ ଉଲ୍କାପାତ (ଲେଟ୍ ହେଭି ବମ୍ବାର୍ଡମେଣ୍ଟ) ସମୟରେ ପ୍ରାୟ ୫ ଲକ୍ଷରୁ ୫ କୋଟି ଟନ୍ ପର୍ଯ୍ୟନ୍ତ ଶର୍କରା ମହାକାଶରୁ ପୃଥିବୀ ପୃଷ୍ଠକୁ ଆସିଥିଲା। ତେଣୁ ଏହି ଆବିଷ୍କାର ପ୍ରମାଣ କରୁଛି ଯେ ପ୍ରାରମ୍ଭିକ ପୃଥିବୀରେ ଜୀବନର ବିକାଶ ଓ ବଂଶବୃଦ୍ଧି ପ୍ରକ୍ରିୟା ପାଇଁ ଆବଶ୍ୟକ ଉପାଦାନ ମହାକାଶରୁ ହିଁ ଆସିଥିଲା।

