ସୁଧୁରୁନି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ନୀଳଗିରି, ୫।୧୦(ପ୍ରଶାନ୍ତ ବିଶ୍ୱାଳ)ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଉପରେ ପ୍ରତିଦିନ ଶହ ଶହ ଲୋକ ନିର୍ଭର କରନ୍ତି। ନୀଳଗିରି ଡାକ୍ତରଖାନା ଜିଲାର ଏକମାତ୍ର ଉପଖଣ୍ଡ ହସ୍‌ପିଟାଲ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମୟର ଅନୁସାରେ ଜରୁରୀ ପ୍ରତିକାରକୁ ଗୁରୁତ୍ୱ ଦେଉନାହାନ୍ତି। ଦିନକୁ ଦିନ ସ୍ବାସ୍ଥ୍ୟସେବାରେ ଅବନତି ବୃଦ୍ଧି ପାଉଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ଉପଖଣ୍ଡ ଚିକିତ୍ସାଳୟ ଉପରେ ବିଭିନ୍ନ ସମସ୍ୟାର ସମାଧାନ ପ୍ରତି କ୍ରମାଗତ ଭାବେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ, ଶତ ଅନୁରୋଧକୁ ମିଛ ପ୍ରତିଶ୍ରୁତିରେ ଭଣ୍ଡେଇ ଦିଆଯାଉଛି। ନୀଳଗିରିବାସୀ ୧୨ଟି ଦାବି ନେଇ ଏକ ସ୍ମାରକପତ୍ର ବୁଧବାର ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକଙ୍କୁ ପ୍ରଦାନ କରିଛନ୍ତି।
ମଧ୍ୟରେ ରୋଗୀମାନେ ଜରୁରୀକାଳୀନ ଚିକିତ୍ସା ପାଇପାରୁ ନ ଥିବାରୁ ସରକାରୀ କ୍ୱାର୍ଟର୍ସରେ ଡାକ୍ତରଙ୍କୁ ରହିବା ବ୍ୟବସ୍ଥା କରିବା, ମେଡିକାଲରେ ଜଣେ ରେଡ଼ିଓଲୋଜିଷ୍ଟଙ୍କୁ ନିଯୁକ୍ତି କରିବା, ଶବ ସଂରକ୍ଷଣ ଗୃହରେ ଫ୍ରିଜର ବ୍ୟବସ୍ଥା କରିବା, ସକାଳ ବେଳା ଚକ୍ଷୁ ରୋଗୀଙ୍କୁ ଚିକିତ୍ସା, ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା, ଆଇସିୟୁ ଡାକ୍ତର ନିଯୁକ୍ତି କରାଯିବା, ଅର୍ଥପେଡିକ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଓ ଅଧିକ ଟେକ୍ନିସିଆନ୍‌ ନିଯୁକ୍ତି ଆଦି ରହିଛି। ସମସ୍ତ ଦାବିର ସ୍ଥାୟୀ ସମାଧାନ ନ ହେଲେ ନୀଳଗିରିବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ସବ୍ୟସାଚୀ ମହାପାତ୍ର ବିଶାଳ ଗଣଧାରଣାର ଚେତାବନୀ ଦେଇଛନ୍ତି।