ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ ନିଜର ବାର୍ତ୍ତାରେ ମହାପ୍ରଭୁଙ୍କ ଭଉଣୀଙ୍କୁ ‘ଶ୍ରୀମତୀ ସୁଭଦ୍ରା ଦେବୀ’ ବୋଲି ଉଲ୍ଲେଖ କରିଥିବା ବେଳେ ଏହାକୁ ସଂଶୋଧନ କରିବାକୁ ସେ ଅନୁରୋଧ କରିଛନ୍ତି।

ସୁଦର୍ଶନ ଦର୍ଶାଇଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଓ ପରମ୍ପରାରେ ତାଙ୍କୁ ଆଦର ଓ ଭକ୍ତିରେ ‘ମା’ ସୁଭଦ୍ରା ଦେବୀ’ ବୋଲି ସମ୍ବୋଧନ କରାଯାଏ। ଏହା ଆମ ଓଡ଼ିଶାର ସଂସ୍କୃତି ଏବଂ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଇସ୍କନ ନିଜ ବାର୍ତ୍ତାରେ ବ୍ୟବହାର କରିଥିବା ଏହି ‘ଶ୍ରୀମତୀ’ ଶବ୍ଦାବଳୀକୁ ତୁରନ୍ତ ସମୀକ୍ଷା କରିବା ସହ ଏହାକୁ ଅପଡେଟ୍ (ସଂଶୋଧନ) କରିବାକୁ ସେ ଦାବି କରିଛନ୍ତି।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀ ଜଗନ୍ନାଥ ପରମ୍ପରା ଓ ସଂସ୍କୃତିକୁ ସମସ୍ତେ ସଠିକ୍ ଭାବେ ଅନୁସରଣ କରିବା ଉଚିତ୍। ଶବ୍ଦାବଳୀର ସଠିକ୍ ପ୍ରୟୋଗ ଦ୍ୱାରା ହିଁ ଆମର ମୌଳିକ ପରମ୍ପରାକୁ ବଜାୟ ରଖାଯାଇପାରିବ।

Dharitri – Odisha’s No.1 Odia Daily