ବିନା ପ୍ରଶିକ୍ଷଣରେ ସଫଳ

ପାଟଣା, ୯।୯ (ସ୍ବ.ପ୍ର.)-ଦୃଢ଼ ଇଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ହାସଲ ହୁଏ। ସଫଳତାର ଶୀର୍ଷରେ ମଣିଷ ପହଞ୍ଚି ପାରେ। ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତର ଦୁର୍ଗାଦେଇପୁର ଶାସନ ଗ୍ରାମର ଯୁବ ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶ। ବିନା ପ୍ରଶିକ୍ଷଣରେ ନିଜ ପ୍ରତିଭା ବଳରେ ସେ ସଫଳତା ସାଉଁଟିଛନ୍ତି।
କାହାଠାରୁ ସଙ୍ଗୀତ ଶିକ୍ଷା ନ କରି ସେ ୧୫୦ରୁ ଊଦ୍ଧର୍‌ବ ଗୀତର ନିର୍ଦ୍ଦେଶନା ଦେଇଛନ୍ତି। ଅନେକ ହିଟ ଗୀତରେ ମ୍ୟୁଜିକ କମ୍ପୋଜ କରି ସେ ଓଡ଼ିଶା ଆଲବମ୍‌ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଶ୍ରୋତାଙ୍କ ମନ ଜିଣି ପାରିଛନ୍ତି। ସେ ଅନେକ ରୋମାଣ୍ଟିକ ସଙ୍ଗୀତ, ବିରହ ସଙ୍ଗୀତ ଆଉ ଭଜନରେ ସଫଳତା ସହ ମ୍ୟୁଜିକ କମ୍ପୋଜ କରିଛନ୍ତି। ପ୍ରମୁଖ ଲୋକ ପ୍ରିୟ ଗୀତ ତୋଆଖି ମୋଆଇନା, ତୁ ଇସ୍କ ମୋ ପ୍ୟାର, ଓଢ଼ଣୀ ପଡିଛି ନାଲି ନାଲି, ହାରିଗଲି ପ୍ରେମରେ ମୁଁ ପାଇଲି ଧକ୍କା, ଗରିବ ପ୍ରେମିକ ବୋଲି ଭାଙ୍ଗିଲୁ ମୋ ହୃଦୟ ଆଦି ଆଲବମ ଗୀତ ଗୁଡ଼ିକ ଚିନ୍ମୟଙ୍କ ହିଟ ମ୍ୟୁଜିକ୍‌ରେ ଓଡ଼ିଶାର ଦର୍ଶକଙ୍କ ମନକୁ ଛୁଇଁଛି। ଏସବୁ ଗୀତ ଗୁଡ଼ିକୁ ଅସୀମା ପଣ୍ଡା, ହ୍ୟୁମାନ ସାଗର, ଦୀପ୍ତି ରେଖା ପାଢ଼ୀ, ଅର୍ପିତା ଚୌଧୁରୀ ସ୍ବୟମ ପାଢ଼ୀ ପ୍ରମୁଖ ଓଡ଼ିଶାର ଲୋକ ପ୍ରିୟ କଣ୍ଠଶିଳ୍ପୀମାନେ ଗାଇଛନ୍ତି। ସୁଯୋଗ ମିଳିଲେ ଚିନ୍ମୟ ସିନେମା ଓ ଟେଲିଭିଜନ ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ବୋଲି କହିଛନ୍ତି।