ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧- ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ୍‌ (ହାଲ୍‌) ଦ୍ୱାରା ନିର୍ମିତ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ(ସ) କ୍ଷେପଣାସ୍ତ୍ରକୁ ଗୁରୁବାର ଓଡ଼ିଶା ଉପକୂଳରେ ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରୁ ଏହି ପରୀକ୍ଷଣକୁ ନିୟନ୍ତ୍ରଣ କରାଯାଇଥିଲା।

୧୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ରଖିଛି। ଏହାର ଓଜନ ୧୨୦ କିଲୋଗ୍ରାମ୍‌। ଏହି ପରୀକ୍ଷଣ ଆମତ୍ନିର୍ଭରଶୀଳ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଚୀନ୍‌ ଓ ପାକିସ୍ତାନ ସହିତ ଦୀର୍ଘଦିନ ଧରି ଚାଲିିଥିବା ବିବାଦ ମଧ୍ୟରେ ଭାରତ ନିଜର ପ୍ରତିରକ୍ଷା ଶକ୍ତିକୁ ବଢାଇବାରେ ଲାଗିଛି। ଏନେଇ ବର୍ତ୍ତମାନ ଭାରତର ସ୍ବଦେଶୀ ପ୍ରଯୁକ୍ତିରେ ହାଇଟେକ୍‌ ଉପକରଣଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ହାଲ୍‌, ଡିଆର୍‌ଡିଓ ଏବଂ ତିନିସେନା ମିଳିତ ଭାବେ କାର୍ଯ୍ୟ କରୁଥିବା ବେଳେ ‘ସ’ କ୍ଷେପଣାସ୍ତ୍ରର ସଫଳତାର ଏକ ମାଇଲ୍‌ଖୁଣ୍ଟ ବୋଲି କୁହାଯାଇଛି। ଏହି ପରୀକ୍ଷଣ ବେଳେ ହାଲ୍‌ର ଟେଷ୍ଟ ପାଇଲଟ୍‌ ଉଇଙ୍ଗ୍‌ କମାଣ୍ଡର ଅବସରପ୍ରାପ୍ତ ପି. ଅଗସ୍ତି ଓ ଏମ୍‌. ପଟେଲଙ୍କ ଦ୍ୱାରା ବିମାନ ଉଡ଼ାଯାଇଥିବା ବେଳେ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା।