‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି। ଏ ନେଇ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବିଭାଗକୁ ଅଧିକ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ରେ କହିଛନ୍ତି। ଏହାକୁ ବିକଶିତ କରିବା ପାଇଁ ୨୦୧୨ରୁ ଗବେଷଣା କରାଯାଇଥିଲା।
ସୂଚନାନୁସାରେ, ଶୁକ୍ରବାର ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍‌ ଏୟାରକ୍ରାଫ୍ଟ ‘ଅଭ୍ୟାସ’ର ପରୀକ୍ଷଣ କରାଯାଇଥିଲା। ଏହା ରାଡାର ଓ ଇଲକ୍ଟ୍ରୋଅପଟିକ୍‌ ସିଷ୍ଟମ ଦ୍ୱାରା ପରିଚାଳିତ ହୋଇଥାଏ। ବିଭିନ୍ନ କ୍ଷେପଣାସ୍ତ୍ର ଓ ବିଭିନ୍ନ ପରୀକ୍ଷଣ ବେଳେ ଏହାକୁ ଆକାଶରେ ଦ୍ରୁତଗତିରେ ଯାଉଥିବା ଏକ ଟାର୍ଗେଟ୍‌ ଭାବରେ ବ୍ୟବହାର କରାଯିବ ବୋଲି ଡିଆରଡିଓ ପକ୍ଷରୁ ସୂଚିତ କରାଯାଇଛି।