ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ମାତ୍ରେ ଛାତ୍ରୀଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମହଲରେ ଖୁସିର ଲହରି ଖେଳିଯାଇଛି। ଦଶମ ଶ୍ରେଣୀର ୯୧ ଛାତ୍ରୀଛାତ୍ର ମଧ୍ୟରୁ ଛାତ୍ର ପ୍ରିୟାଂଶୁ ମହାରଣା ୯୮% (୪୯୦) ମାର୍କ ରଖି ପ୍ରଥମ ସ୍ଥାନରେ ଥିବାବେଳେ ଛାତ୍ରୀ ନଳିନୀ ଜୋରା ୯୭.୪% (୪୮୭) ମାର୍କ ରଖି ଦ୍ୱିତୀୟ ଓ ଛାତ୍ର ରାଜେନ୍ଦ୍ର ଜେନା ୯୬.୮% (୪୮୪) ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି।
ସେହିପରି ସମୁଦାୟ ୯୧ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୯୫% ଉପରେ ୩ଜଣ, ୯୦% ଉପରେ ୧୬ ଜଣ ଓ ୮୦% ଉପରେ ୧୫ ଜଣ, ୭୫% ଉପରେ ୮ ଜଣ ଓ ୬୦% ଉପରେ ୩୩ ଜଣ ବିଦ୍ୟାର୍ଥୀ ରହିଛନ୍ତି। ସେଥି ମଧ୍ୟରୁ ସଂସ୍କୃତରେ ୧୪ ଜଣ ଓ ଗଣିତରେ ୩ ଜଣ ବିଦ୍ୟାର୍ଥୀ ଶତକଡା ୧୦୦ ପ୍ରତିଶତ ମାର୍କ ରଖିଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷା ଡ଼. ମାନବୀନ କୌର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜ୍ଞାପନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।