କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି କରି ଆତଙ୍କ ସୃଷ୍ଟି କରୁଥିବା ଏକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ଶନିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଧର୍ମଗଡ଼ କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ନୂଆପଡା ଜିଲା ସିନାପାଲି ଥାନା କାପସି ଗ୍ରାମର କେଦାର ନାଥ ଦାସ(୪୬), ବାଗ ବାହାଲ ଗ୍ରାମର ରାକେଶ ବାଗ (୨୪), ନବରଙ୍ଗପୁର ଜିଲା ଡ଼ାବୁଗାଁ ଥାନା ଦଧିଆଗୁଡା ଗ୍ରାମର ଦୁର୍ଯ୍ୟୋଧନ ହରିଜନ(୫୨) ଓ ଗୋଲାମୁଣ୍ଡା ଥାନା ଲିମସେର ଗ୍ରାମର ଝସ କେତନ ମେହେର (୪୫) ବୋଲି ଜଣାପଡିଛି। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ରାମ ଶଗଡିଆ ଗିରଫ ହୋଇ ସାରିଛନ୍ତି।

ଅଭିଯୁକ୍ତମାନଙ୍କ ଠାରୁ ୪ଲକ୍ଷ ୪୨ ହଜାର ଟଙ୍କା ଓ ୭୮ ଗ୍ରାମସୁନା ଜବତ କରିଛି । ସେହିପରି ଏହି ଅଭିଯୁକ୍ତଙ୍କ ନାମରେ ଉପରୋକ୍ତ ୩ ଟି ଥାନାରେ ୭ ଟି ମାମଲା ରହିଛି। ଏ ନେଇ ଜୁନାଗଡ଼ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ଏସଡିପିଓ ଭର୍ଷିତା ଆଡେପୁ ସୂଚନା ଦେଇଛନ୍ତି। ଏହି ସମୟରେ ଗୋଲାମୁଣ୍ଡା ଆଇଆଇସି ଯଶୋବନ୍ତ ସେଲମା, କୋକସରା ଆଇଆଇସି ସୁଜ୍ଞାନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share