Categories: ଖେଳ

‘ଦକ୍ଷତାକୁ ପରଖି ପରିଶ୍ରମ କଲେ ସଫଳତା ମିଳିଥାଏ’

ରାଉରକେଲା,୫ା୭(ଦିନେଶ ମିଶ୍ର): ”ବାପା କହୁଥିଲେ ମୁଁ କ୍ୟାଣ୍ଟିନ ଚଳାଇ ତୁମମାନଙ୍କୁ ପୋଷିବି ା ତୁ ରାଜ୍ୟ ଓ ଦେଶ ପାଇଁ ଯେଉଁ ଦିନ ଖେଳିବୁ ସେ ଦିନ ମୋ ସ୍ବପ୍ନ ପୂରଣ ହେବ। ବାପା ଦେଖିଥିବା ସ୍ବପ୍ନକୁ ମୁଁ ସାକାର କରିଛି“ ବୋଲି କହିଛନ୍ତି ହରିୟାଣା ଦଳର ଫରଓ୍ବାଡର୍ର୍ ଖେଳାଳି ସାକ୍ଷୀ ରାଣା। ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ହରିୟାଣା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ସାକ୍ଷୀ। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ପଞ୍ଜାବକୁ ୪-୨ ଗୋଲରେ ହରାଇ ହରିୟାଣା ସେମିଫାଇନାଲରେ ପ୍ରବେଶ କରିଛି। ସାକ୍ଷୀ ମଧ୍ୟ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ମୋଟ ୯ଟି ଗୋଲ ସ୍କୋର କରି ସର୍ବାଧିକ ଗୋଲ କରିଥିବା ଖେଳାଳିଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି।
ହରିୟାଣାର ସୋନେପତରେ ସାକ୍ଷୀଙ୍କ ଜନ୍ମ। ତାଙ୍କ ବାପା ସତ୍‌ପାଲ ସିଂ ସୋନେପତରେ ଏକ ଛୋଟିଆ କ୍ୟାଣ୍ଟିନ କରି ସେଥିରେ ପରିବାର ଭରଣପୋଷଣ କରନ୍ତି। ମା’ ରାଜକୁମାରୀ ଜଣେ ଗୃହିଣୀ ା ସାକ୍ଷୀ ୧୧ ବର୍ଷର ହୋଇଥିବାବେଳେ ବଡ ଭାଇ ରୋହିତ ସିଂଙ୍କ ସହ ଘର ପାଖ ପଡିଆକୁ ହକି ଖେଳିବାକୁ ଯାଉଥିଲେ। ଝିଅର ହକି ଖେଳିବାର ପ୍ରବଳ ଇଚ୍ଛାକୁ ଦେଖି ବାପା ସତ୍‌ପାଲ ପ୍ରୀତମ୍‌ ସିଓ୍ବାଚ ହକି ସୋନେପତ ଏକାଡେମୀରେ ହକି ଖେଳିବାକୁ ଝିଅକୁ ଛାଡିଥିଲେ। ସେଠାରେ ସାକ୍ଷୀ କୋଚ୍‌ ପ୍ରୀତମ୍‌ ସିଓ୍ବାଚଙ୍କ ପାଖରୁ ତାଲିମ ନେଇ ହକିର ବିଭିନ୍ନ କୌଶଳ ଶିଖିଥିଲେ। ଉକ୍ତ ଏକାଡେମୀରେ ଦୀର୍ଘ ୬ ବର୍ଷ ତାଲିମ ନେବା ପରେ ହରିୟାଣା ଜିଲାସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସାକ୍ଷୀ ଚଳିତ ବର୍ଷ ରାଜ୍ୟ ଦଳରେ ଖେଳିବାକୁ ସୁଯୋଗ ପାଇଥିଲେ। କେବଳ ସେତିକି ନୁହେଁ ସୁଯୋଗର ଭରପୂର ସଦୁପଯୋଗ କରିଛନ୍ତି ସାକ୍ଷୀ। ହରିୟାଣାକୁ ସେମିଫାଇନାଲରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହାକୁ ସ୍ବୀକାର କରିଛନ୍ତି ହରିୟାଣା କୋଚ୍‌ ଆଜାଦ ସିଂ ମଲିକ। ନିଜ ସମ୍ପର୍କରେ ସାକ୍ଷୀ କହିଛନ୍ତି ଯେ, ”ମୁଁ ବର୍ତ୍ତମାନ ଲିଟିଲ ଆଞ୍ଜେଲ ସୋନେପତ ଲୋକାଲ ଏକାଡେମୀ ସ୍କୁଲରେ ଯୁକ୍ତ୨ର ଛାତ୍ରୀ। ପାଠପଢ଼ା ସଙ୍ଗେ ସଙ୍ଗେ ଯଦି ଜଣେ ବିଦ୍ୟାର୍ଥୀ ନିଜ ଭିତରେ ଥିବା ଦକ୍ଷତାକୁ ପରଖି ନିଷ୍ଠାର ସହ କଠିନ ପରିଶ୍ରମ କରିବ ତେବେ ସୁନିଶ୍ଚିତ ସଫଳତା ପାଇବ। ଆମ ଦଳ ଜାତୀୟ ଜୁନିୟର ମହିଳା ହକିର ସେମିଫାଇନାଲରେ ପ୍ରବେଶ କରିଥିବାରୁ ମୁଁ ବହୁତ ଖୁସି ା ଆଗାମୀ ଦିନରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରି ବିଶ୍ୱକପ ଜିତିବା ମୋର ଲକ୍ଷ୍ୟ। ଏଥିପାଇଁ ମୋର ସଂଘର୍ଷ ଜାରି ରହିବ“।

Share