କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (NEET)ରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ବଲାଙ୍ଗୀର ସ୍ଥିତ ସରକାରୀ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏମ.ବି.ବି.ଏସ. (MBBS) ଅଧ୍ୟୟନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଭଟାପଲା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ନରେନ୍ଦ୍ର ରଣା ଓ ଅମ୍ବିକା ରଣାଙ୍କ ପୁତ୍ର ସୁବ୍ରତ କୌଣସି ଘରୋଇ କୋଚିଂ ସଂସ୍ଥାର ସହାୟତା ନ ନେଇ, ନିଜର ଦୃଢ଼ ଇଚ୍ଛାଶକ୍ତି ଓ କଠୋର ଅଧ୍ୟବସାୟ ବଳରେ ପ୍ରଥମ ପ୍ରଚେଷ୍ଟାରେ ହିଁ ଡାକ୍ତରୀ ପଢ଼ିବାର ସୁଯୋଗ ପାଇଛନ୍ତି। ସୁବ୍ରତ ପୂର୍ବରୁ ଭଟାପଲା ବୀରକିଶୋର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ଏବଂ ରେଗଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ।
ଗ୍ରାମାଞ୍ଚଳରୁ ଆସି ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ି ସୁବ୍ରତ ଏଭଳି ସଫଳତା ପାଇଥିବାରୁ କର୍ଲାମୁଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ନିଷ୍ଠା ଓ ସଫଳତା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଅଞ୍ଚଳବାସୀଙ୍କ ତରଫରୁ ସୁବ୍ରତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।