ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୧୨ା୧୧: ରାଜ୍ୟରେ ଅନିୟନ୍ତ୍ରିତ ହାତୀମୃତ୍ୟୁ ରୋକିବା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପୋଲିସ ଓ ବନ ବିଭାଗର ମିଳିତ ଭାବେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସର ଆଗାମୀ କାର୍ଯ୍ୟାବଳୀ ସମ୍ପର୍କିତ ସତ୍ୟପାଠ ଶୁକ୍ରବାର ହାଇକୋର୍ଟରେ ଦାଖଲ ହୋଇଛି। ଅତିରିକ୍ତ ଏସ୍‌ପି ତଥା ଜଏଣ୍ଟ ଟାସ୍କଫୋର୍ସ ସଦସ୍ୟ ଜତୀନ୍ଦ୍ର କୁମାର ପଣ୍ଡା ଓ ଚେୟାରମ୍ୟାନ ତଥା କନ୍‌ଭେନର ଡ. ମନୋଜ ଭି ନାୟାରଙ୍କ ପକ୍ଷରୁ ପୃଥକ୍‌ ଭାବେ ସତ୍ୟପାଠ ଦାଖଲ ଜରିଆରେ ହାଇକୋର୍ଟଙ୍କୁ ହାତୀମୃତ୍ୟୁ ସଂକ୍ରାନ୍ତରେ ରହିଥିବା ଯୋଜନା ବାବଦରେ ଅବଗତ କରାଯାଇଛି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ମିଳିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି। ଆସନ୍ତା ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଆବେଦନକାରୀ ଗୀତା ରାଉତଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାକୁ ନେଇ ଶୁଣାଣି ଜାରି ରହିଛି।